ଭଞ୍ଜନଗର : ଲକଡ଼ାଉନ୍ ସମୟରେ ଆମେ ଅନଲାଇନ୍ ଜରିଆରେ ପାଠପଢ଼ାର ଅନେକ ଚିତ୍ର ଦେଖିଛେ, ହେଲେ ଆଜି ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଦେଖି ଆପଣ ବିସ୍ମିତ ହୋଇପଡ଼ିବେ । କୋମଳମତି ପିଲାମାନେ ପାଠ ପଢ଼ିବା ପାଇଁ ନେଟୱର୍କ ଖୋଜି ଖୋଜି ଗଛ ଚଢୁଛନ୍ତି । ପୁଣି କେତେବେଳେ ନଦୀ ଭିତରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।
ଗଂଜାମ ଜିଲ୍ଲା ଭଂଜନଗର ବ୍ଳକର ମହାଗୁଡ଼ା ଗାଁ । ଗାଁରେ ୨୦ରୁ ଅଧିକ ପିଲା ବିଭିନ୍ନ ସ୍କୁଲ ଓ କଲେଜରେ ପାଠ ପଢନ୍ତି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନ୍ ପାଠ ପଢା ହେଉଛି । ଆଉ ଗାଁରେ ମୋବାଇଲ୍ ନେଟୱାର୍କ ଆସୁନଥିବାରୁ ପାଣିରେ ପଶି ନଈକୂଳକୁ ଯାଉଛନ୍ତି କୁନି କୁନି ପିଲା । ନେଟୱାର୍କ୍ ମିଳିଲେ ପଢ଼ିବେ ନଚେତେ ଘରକୁ ଫେରିବେ । ପିଲାମାନେ ନଇକୂଳକୁ ଯାଉଥିବା ବେଳେ ଅଭିଭାବକମାନେ ପାଳି କରି ଜଗିବାକୁ ଯାଉଛନ୍ତି ।