ଅନ୍ଧବିଶ୍ୱାସର କରୁଣ ପରିଣତି: ମୟୂରଭଂଜରେ ନବଜାତକୁ ୧୨ ଥର ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆଜିକାଲି ବି ଅନ୍ଧବିଶ୍ୱାସକୁ ଗ୍ରହଣ କରାଯାଉଛି। ଅନେକ ସ୍ଥାନରେ ଅତ୍ୟାଧୁନିକ ବ୍ୟବସ୍ଥାକୁ ଗ୍ରହଣ ନକରି ପୁରୁଣା କାଳର ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଅଧିକାଂଶ ସମୟରେ ଏହା ବିପଦକୁ ଆମନ୍ତ୍ରଣ କରାଯାଉଛି। ମୟୂରଭଂଜ ଜିଲ୍ଲାରେ ଜଣେ ନବଜାତ ଶିଶୁପୁତ୍ରର ପେଟରେ ଚେଙ୍କ ଦେବା କାରଣରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଗତମାସ ୪ ତାରିଖରେ ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମର ମୁନି ମାଝୀଙ୍କ ସ୍ତ୍ରୀ କର୍ମୀ ମଝି ବଦାମପାହାଡ଼ ଡ଼ାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା ଏବଂ ଛୁଆ ସୁସ୍ଥ ଅବସ୍ଥାରେ ଘରକୁ ମଧ୍ୟ ଫେରିଥିଲେ। ହେଲେ କିଛିଦିନ ପରେ ନବଜାତ ଶିଶୁଟି ବେଶି କାନ୍ଦିବାର ଦେଖି ଶିଶୁଟିର ପେଟବଥା ହେଉଥିବା ଭାବି ମୁନି ମଝି ଗାଁର ଜଣେ ମହିଳା ବୀଜ ମଝିଙ୍କୁ ଏ ବାବଦରେ କହିଥିଲେ।

ବୀଜ ମାଝୀ ଛୁଆର ପେଟରେ ଚେଙ୍କ ଦେଲେ ପେଟବଥା ଭଲହୋଇଯିବା ସଙ୍ଗେ ସଙ୍ଗେ ଆଉ କେବେ ପେଟ ବଥା ହେବନି କହି ମୁନିଙ୍କ ଘରକୁ ଯାଇଥିଲେ। ସେ ଏକ ଲୁହା କଣ୍ଟାରେ ପିଲାଟିର ପେଟର ନାଭି ଚାରିପଟେ ୧୨ ଥର ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ଗୁରୁତର ଅବସ୍ଥାରେ ପିଲାଟିକୁ ପରିବାର ଲୋକେ ପ୍ରଥମେ ବଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅକ୍ସିଜେନ ଲାଗିଥିଲା ଏବଂ ଏଭଳି ଅବସ୍ଥାରେ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଦେବାଶିଷ ପଣ୍ଡା ପିଲାଟିର ଉତ୍ତମ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ପିଲାଟିର ଏସବୁ ପାଇଁ ନିଜକୁ ଦାୟୀ କରି ଅନୁତାପ କରୁଛନ୍ତି ବାପା ମୁନୀ ମଝି।

ସମ୍ବନ୍ଧିତ ଖବର