ଅନୁଗୁଳ: ଅଭାବ ଅନଟନ ଯୋଗୁଁ ଜଣେ ମହିଳା ନିଜ ନବଜାତ ଶିଶୁପତ୍ରକୁ ଜଣେ ନିସନ୍ତାନ ବ୍ୟବସାୟୀ ଦମ୍ପତିକୁ ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଗତରାତିରେ ସଂପୃକ୍ତ ବ୍ୟବସାୟୀଙ୍କ ଘରୁ ଶିଶୁପୁତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳ ସହର ହୁଲୁରିସିଂହା ଅଂଚଳର ଜଣେ ଗରିବ ମହିଳା ଗତ ୨୮ ଏପ୍ରିଲ ଦିନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଗତ ୩ ତାରିଖରେ ତାଙ୍କ ମାତ୍ର ୬ ଦିନର ଶିଶୁପୁତ୍ରକୁ କୈଲାସ ଅଗ୍ରୱାଲଙ୍କ ହାତରେ ଟେକି ଦେଇଥିଲେ। ଅଂଗନୱାଡି କର୍ମୀଙ୍କଠାରୁ ଖବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ହୁଲୁରିସିଂହା ଯାଇ ସଂପୃକ୍ତ ମହିଳାଙ୍କୁ ପଚରାଉଚରା କରିବା ସହିତ କୈଲାସଙ୍କ ଘରୁ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ।
ଅପରପକ୍ଷରେ ମହିଳା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ତାଙ୍କ ୨ଟି ସନ୍ତାନ ରହିଛନ୍ତି। ତୃତୀୟ ସନ୍ତାନ ଗର୍ଭରେ ରହିବା ପରେ ଜଣେ ବ୍ୟକ୍ତି ରଖିବା ପାଇଁ କହିଥିଲା। ହେଲେ ସେ ଆସିଲା ନାହିଁ। ଏପଟେ ଦିନମଜୁରିଆ ହୋଇଥିବାରୁ ୩ଟି ସନ୍ତାନକୁ ପୋଷିବା ତାଙ୍କ ପକ୍ଷେ ସମ୍ଭବ ନଥିବାରୁ ସେ ୨୦ ହଜାର ଟଙ୍କା ନେଇ ନବଜାତ ଶିଶୁପୁତ୍ରକୁ ଦାନ କରି ଦେଇଥିବା ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା କହନ୍ତି, ସନ୍ତାନ ଥିବାରୁ ଉକ୍ତ ଶିଶୁପୁତ୍ରଟିକୁ କୈଲାସ ପୌଷ୍ୟ ସନ୍ତାନ ରଖିବା ପାଇଁ ଆଣିଥିବା କହିଥିଲେ। ମହିଳା ଜଣକ ବି ଶିଶୁଟିକୁ ଦାନ କରି ଦେଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ପାଇଁ ଅନୁଗୁଳ ଥାନାରେ ରିପୋର୍ଟ କରାଯାଇଛି। ପୁଲିସ ତଦନ୍ତ ରିପୋର୍ଟ ସତ୍ୟ ଘଟଣା ପଦାକୁ ଆସିବ ବୋଲି କହିଛନ୍ତି। ଅପରପକ୍ଷରେ ଅନୁଗୁଳ ଥାନା ଅଧିକାରୀ ଅଧିକାରୀ ରମେଶ ବିଶୋଇ ଏଭଳି ଘଟଣା ସଂକ୍ରାନ୍ତରେ ରିପୋର୍ଟ ହୋଇଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି।