ଅସ୍ତିତ୍ବ ହରାଉଛି ନୂଆ ବସ୍‌ଷ୍ଟାଣ୍ଡ, ଛାତରୁ ପଡ଼ୁଛି ସ୍ଲାବ୍‌, ଗଳୁଛି ପାଣି

୫ ବର୍ଷ ତଳେ ଖର୍ଚ୍ଚ ହୋଇଥିଲା ୧.୩୦ କୋଟି

ରାଉରକେଲା : ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅସ୍ତିତ୍ବ ହରାଇବାକୁ ଯାଉଛି ସ୍ମାର୍ଟସିଟିର ନୂଆ ବସ୍‌ଷ୍ଟାଣ୍ଡ। ଦୋକାନ, ଅଫିସ୍‌ ଆଦିରୁ ଭଡା ବାବଦରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ପାଉଛି। ସୌନ୍ଦର୍ଯ୍ୟ ଓ ରକ୍ଷଣାବେକ୍ଷଣ, ଯାତ୍ରୀଙ୍କ ସମସ୍ୟା ଓ ପରିମଳ ବ୍ୟବସ୍ଥା ପ୍ରତି ଆଖି ବୁଜି ଦେଇଛି। ଦୋକାନୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ହେଉଛି। ପ୍ରତିଶ୍ରୁତି ବି ମିଳୁଛି। କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଦୋକାନୀ। ହଇରାଣ ହକରତ ହେଉଛନ୍ତି ହଜାର ହଜାର ଯାତ୍ରୀ। କେତେବେଳେ ଯାତ୍ରୀ ତ ଅନ୍ୟ କେତେବେଳେ ଦୋକାନୀଙ୍କ ମୁଣ୍ଡ ଉପରେ ଗଳୁଛି କଂକ୍ରିଟ୍‌ ସ୍ଲାବ। ଖଣ୍ଡିଆ ଖାବରା ସହ ଲହୁ ଲୁହାଣ ହେଉଛନ୍ତି। ବିଭାଗୀୟ ଅଧିକାରୀ କିନ୍ତୁ ଏଥିପ୍ରତି ଥରୁଟିଏ ଚିନ୍ତା କରୁ ନାହାନ୍ତି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏସବୁ କାରଣରୁ ପଶ୍ଚିମ ଓଡ଼ିଶାର ସର୍ବବୃହତ ବସ୍‌ଷ୍ଟାଣ୍ଡର ତାର ଅସ୍ତିତ୍ବ ହରାଇବାକୁ ବସିଛି। ଗତ ପ୍ରାୟ ୫ବର୍ଷ ତଳେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାରେ ନୂଆ ବସ୍‌ଷ୍ଟାଣ୍ଡର ପୁନରୁଦ୍ଧାର କାମ ହୋଇଥିଲା। ଦୋକାନ, କୋଠାଗୁଡ଼ିକର ମରାମତି ହୋଇଥିଲା। ରଙ୍ଗ ମଧ୍ୟ ଦିଆଯାଇଥିଲା। ବସ୍‌ଷ୍ଟାଣ୍ଡ ପରିସର କଂକ୍ରିଟ ମଧ୍ୟ ‌ହୋଇଥିଲା। ସେବେଠୁ ଆଜି ମାତ୍ର ଲକ୍ଷେ ଟଙ୍କା ଖର୍ଚ୍ଚ କରାଯାଇଛି। ଯାତ୍ରୀଙ୍କ ବ୍ୟବହାର ପାଇଁ ରହିଥିବା ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ସ୍ଥିତି ଅତି ଦୟନୀୟ। ବସ୍‌ଷ୍ଟାଣ୍ଡ ପରିସରରେ ଯାତ୍ରୀମାନଙ୍କୁ ଆକର୍ଷିତ କରିବାକୁ ନିର୍ମାଣ ହୋଇଥିଲା ମ୍ୟୁଜିକାଲ ଫାଉଣ୍ଟେନ। ବର୍ଷ ବର୍ଷ ଧରି ସେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଆର୍‌ଡିଏର ଅଧିକାରୀ କହିଛନ୍ତି ବସ୍‌ଷ୍ଟାଣ୍ଡର ବିଲ୍‌ଡିଂ ବିପଦ ସଙ୍କୁଳ ସ୍ଥିତି ଅଛି କି ନାହିଁ ତଦାରଖ ପାଇଁ ଏନ୍‌ଆଇଟି ଏକ୍ସପର୍ଟ ଟିମ୍‌ଙ୍କୁ ଚିଠି ଲେଖାଯାଇଛି। ସେମାନେ ତଦାରଖ କରିବା ପରେ ଯଦି ବିଲ୍‌ଡିଂ ଠିକ୍‌ ଥିବ, ତେବେ ମରାମତି କରାଯିବ। ନ ହେଲେ ବିଲ୍‌ଡିଂ ଗୁଡ଼ିକ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁନଃ ନିର୍ମାଣ କରାଯିବ ବୋଲି କହିଛନ୍ତି। ଯଦି ଜନୈକ ଅଧିକାରୀଙ୍କ କଥା ସତ ହୋଇଥାଏ, ନିଶ୍ଚିତ ଭାବେ ନୂଆ ବସ୍‌ଷ୍ଟାଣ୍ଡର ରୂପରେଖ ବଦଳିବ। ନ ହେଲେ ପଶ୍ଚିମ ଓଡ଼ିଶାର ଏହି ବସ୍‌ଷ୍ଟାଣ୍ଡକୁ ରାଜ୍ୟ ଓ ରାଜ୍ୟବାହାରୁ ଆସୁଥିବା ବସ୍‌ଗୁଡ଼ିକ ନ ପସି ‌ଫେରିଯିବ, ଏଥିରେ ଦ୍ବିମତ ନାହିଁ। ଉଲ୍ଲେଖଯୋଗ୍ୟ, ନୂଆ ବସ୍‌ଷ୍ଟାଣ୍ଡକୁ ପ୍ରତିଦିନ ଓଡ଼ିଶା ସମେତ ପଡୋଶୀ ଝାଡ଼ଖଣ୍ଡ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ଶହ ଶହ ବସ୍‌ ରାଉରକେଲା ବସ୍‌ଷ୍ଟାଣ୍ଡକୁ ଆସୁଛନ୍ତି। ରାଉରକେଲାରୁ ଜିଲ୍ଳାର ବିଭିନ୍ନ କୋଣ ଅନୁକୋଣକୁ ଏଠାରୁ ଦୈନିକ ଶହ ଶହ ସାଧାରଣ ବସ୍‌ ନୂଆ ବସ୍‌ଷ୍ଟାଣ୍ଡରୁ ଯିବା ଆସିବା କରୁଛନ୍ତି। ୨୬ ବର୍ଷର ନୂଆ ବସ୍‌ଷ୍ଟାଣ୍ଡ ମାର୍କେଟ, ଫକୀରମୋହନ ମାର୍କେଟ ପାଖାପାଖି ୪୦୦ ଦୋକାନ ରହିଛି। ସକାଳ ୫ଟାର ରାତି ପ୍ରାୟ ୧୨ ପର୍ଯ୍ୟନ୍ତ ହଜାର ହଜାର ଯାତ୍ରୀଙ୍କ ଭିଡ ହୋଇଥାଏ। ଏଥିସହ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନେ ଏଠାରେ ବସ୍‌ ଯୋଗେ ଓଡ଼ିଶାର ବିଭନ୍ନ ଅଞ୍ଚଳର ସମେତ ବିହାର ଗୟା, ଝାଡ଼ଖଣ୍ଡ ସିମ୍‌ଡେଗା, ମନୋହରପୁର, ଛତିଶଗଡର ରାୟପୁର,ମଧ୍ୟ ପ୍ରଦେଶ ଆଦି ଅଞ୍ଚଳକୁ ଶହ ଶହ ବସ୍‌ରେ ଯାତ୍ରା କରିଥାନ୍ତି। ଦୋକାନୀମାନେ ବେଶ୍‌ ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି। କରୋନା କଟକଣା ପରେ ବସ୍ ଚଳାଚଳ ସ୍ବାଭାବିକ ହୋଇଛି। ଦୋକାନୀ ଗୁଡ଼ିକ‌ ପୂର୍ବପରି ଖୋଲିଛି। ହେଲେ ଛାତଗୁଡ଼ିକ ବିପଦ ସଙ୍କୁଳ ଥିବାରୁ ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ ଆସୁଥିଲେ ହେଁ କିଣାକିଣି କରିବାକୁ ଏତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଉଭୟ ଯାତ୍ରୀ ଓ ଦୋକାନୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍‌ଷ୍ଟାଣ୍ଡର ମରାମତି ସହ ସୌନ୍ଦର୍ଯ୍ୟକରଣ କାମକୁ ପ୍ରାଥମିକତା ଦେବାକୁ ବ୍ୟବସାୟୀ ଓ ବସ୍‌ ମାଲିକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର