ସରିଲା ଅବଧି, ସରିଲାନି ନୂଆ ବସଷ୍ଟାଣ୍ଡ କାମ: ଅକ୍ଟୋବର ସୁଦ୍ଧା ହସ୍ତାନ୍ତର ଲକ୍ଷ୍ୟ 

ଜୟପୁର: ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପାର୍ଶ୍ବରେ ଗତ ୨୦୧୭ନଭେମ୍ବରରୁ ୧୧କୋଟିରେ ନିର୍ମାଣ ଚାଳିଥିବା ନୂଆ ବସଷ୍ଟାଣ୍ଡର କାମ ସରିବା ନାଁ ନେଉନି। ୨ବର୍ଷ ମଧ୍ୟରେ କାମ ସାରି ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା। ତେବେ ଅବଧି ସମୟ ୨୦୧୯ସରିବାର ୨ବର୍ଷ ପରେ ବି ଏହା ହସ୍ତାନ୍ତର ହୋଇ ପାରୁନି।

ମିଳିଥିବା ସୂଚନା ଅନୁଯାୟୀ, କାମ ଶେଷ ପର୍ଯ୍ୟାୟରେ ପହଚିଂ ସାରିଛି। ତେବେ ପୁରୁଣା ଡିଟିଏମ୍ କାର୍ଯ୍ୟାଳୟକୁ ଭାଙ୍ଗିବା ସହ ପାଚେରୀ କାମ ବାକି ରହିଛି। ନୂଆ ବସଷ୍ଟାଣ୍ଡ ପରିସରରେ ୫୧ଟି ଷ୍ଟଲ ନିର୍ମାଣ କରାଯାଇଛି। ସେଭଳି ଓଏସଆରଟିସି ଓ ଘରୋଇ ବସ ପାଇଁ ୨ଟି ଟିକେଟ କାଉଣ୍ଟର, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା, ଓଏସଆରଟିସିର ପ୍ରଶାସନିକ ଭବନ, କ୍ୟାଣ୍ଟିନ, କର୍ମଚାରୀଙ୍କ ରେଷ୍ଟରୁମ, ଡରମଟରୀ, ଗ୍ୟାଷ୍ଠ ହାଉସ, ମେଣ୍ଟନାନସ୍ ୟାର୍ଡ,ଗାର୍ଡ ରୁମ, ଏଟିଏମ୍ , ଶୌଚାଳୟ ଆଦି ନିର୍ମାଣ ହୋଇଛି। ଯଦିଓ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଉଥିଲେ ହେଁ ଏଠାକୁ ଘରୋଇ ବସ ଗୁଡ଼ିକ ବି ଯିବା ଆସିବା କରିବ। ଏହାରି ମଧ୍ୟରେ ଏହାର ତଦାରଖ ଜିଲ୍ଲାପାଳ କରିବା ସହ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମର ବ୍ୟବସ୍ଥା ତଳେ କରାଯିବା ଏବଂ ତୁରନ୍ତ ପୁରୁଣା ଡିଟିଏମ୍ କାର୍ଯ୍ୟାଳୟକୁ ଭାଙ୍ଗି ପାଚେରୀ ନିର୍ମାଣ କରିବାକୁ ନିର୍ମାଣ ସଂସ୍ଥା ପୁଲିସ ହାଉସିଂକୁ ନିର୍ଦେଶ ଦେଇଥିବା କହିଛନ୍ତି ପୁଲିସ ହାଉସିଂ ବିଭାଗର ଜୋନ ପରିଚାଳକ ଶିବରାମ ନାୟକ।

ପ୍ରକୃତରେ ଏହି ବସଷ୍ଟାଣ୍ଡର ପରିଧି ୪ଏକର ୧୭ ସେଣ୍ଟ। ତେବେ ୨ଏକର ୧୭ସେଣ୍ଟ ପରିଧି ମଧ୍ୟରେ ଏହି ବସଷ୍ଟାଣ୍ଡ ରହିଛି। ଆଉ ୨ଏକର ଜମି ଜବରଦଖଲ ରହିବା ଏବଂ ଏହାରି ପରିସରରେ ଥିବା ଗଛ କଟାଯିବା ଆଦି ସମସ୍ୟା ଏବଂ କୋଭିଡ୍ ଯୋଗୁଁ ଧାର୍ଯ୍ୟ ସମୟ ଠାରୁ ବିଳମ୍ବ ହୋଇଛି ବୋଲି କହିଛନ୍ତି ଶ୍ରୀ ନାୟକ । ଆସନ୍ତା ଅକ୍ଟୋବର ସୁଦ୍ଧା ପୁରୁଣା ଡିଟିଏମ୍ କାର୍ଯ୍ୟାଳୟକୁ ଭାଙ୍ଗି ପାଚେରୀ ନିର୍ମାଣ କରି ହସ୍ତାନ୍ତର କରାଯିବା ଲକ୍ଷ୍ୟ ରହିଥିବା ଶ୍ରୀ ନାୟକ କହିଛନ୍ତି। ଅନ୍ୟ ପଟେ ଏହାରି ମଧ୍ୟରେ ନିର୍ମାଣ ହୋଇଥିବା ନୂଆ ୫୧ଟି ଷ୍ଠଲ ଉପରେ କିଛି  ରାଜନୈତିକ ନେତାଙ୍କ ଲେଲୁପ ଦୃଷ୍ଟି ପକାଇବା ସହ ନିଜ କବଜାରେ ନେବାକୁ ଯୋଜନା ଆରମ୍ଭ କରିଛନ୍ତି। ତେବେ ଓସଆରଟିସି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀଙ୍କୁ ପ୍ରାଥମିକତା ଦେବାସହ  ଟେଣ୍ଡର କରି ଦିଆଯିବ ବୋଲି କୁହାଯାଇଛି। ତେବେ ସହରର ବହୁ ପ୍ରତୀକ୍ଷିତ ବସଷ୍ଟାଣ୍ଡର ନିର୍ମାଣ କାମ କେବେ ସରିବ ସେ ସମୟକୁ ଅପେକ୍ଷା।

ସମ୍ବନ୍ଧିତ ଖବର