ସାଢ଼େ ତିନି ମାସ ପରେ ସର୍ବନିମ୍ନ ସଂକ୍ରମଣ, ୪୧ ଆକ୍ରାନ୍ତ ଚିହ୍ନଟ

ସରୁନି ବଳକା ମୃତ୍ୟୁ ତାଲିକା, ଆଜି ପୁଣି ୨ ମୃତ

ବାରିପଦା : ପ୍ରାୟ ସାଢ଼େ ତିନି ମାସ ଅର୍ଥାତ ୧୦୫ ଦିନ ବ୍ୟବଧାନ ପରେ ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ସର୍ବନିମ୍ନ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮,୫୯୬ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ୯୮.୧୬ ପ୍ରତିଶତରୁ ସାମାନ୍ୟ ଅଧିକ ହାରରେ ୩୭,୮୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସୁଦ୍ଧା ୧.୩ ପ୍ରତିଶତରୁ ସାମାନ୍ୟ ଅଧିକ ହାରରେ ୫୩୯ ଜଣ ସକ୍ରିୟ ଅଛନ୍ତି। ଜିଲ୍ଲାରେ ଏବେ ମଧ୍ୟ ବଳକା ମୃତ୍ୟୁ ସଂଖ୍ୟା ସରୁନି। ଆଜି ପୁଣି ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ୫୫ ଓ ୭୭ ବର୍ଷର ଦୁଇ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ୦.୫୩ ପ୍ରତିଶତ ହାରରେ ମୋଟ ୨୦୫ ଜଣଙ୍କର ଏବଂ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି କେବଳ ଚଳିତ ଜୁଲାଇ ମାସର ୩୦ ଦିନ ମଧ୍ୟରେ ଜିଲ୍ଲାରୁ ୩,୦୬୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୯ ଦିନରେ

୩,୯୪୪ ଜଣ ସୁସ୍ଥ ହୋଇ ଫେରିଥିବାର ସୂଚନା ମିଳିଛି । ଜିଲ୍ଲାରେ ସଂକ୍ରମଣ ଗ୍ରାଫ ପୂର୍ବ ତୁଳନାରେ ତଳକୁ ଖସିଥିବା ଜଣାପଡ଼ିଛି । ବର୍ତ୍ତମାନ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣର ହାର ୨ ପ୍ରତିଶତ ତଳକୁ ଖସି ଆସିଛି । ଗତ ଜୁଲାଇ ୨୯ରେ ଜିଲ୍ଲାରେ ୧,୬୮୩ ଜଣଙ୍କର ଆଣ୍ଟିଜେନ ଓ ୪୯୯ ଜଣଙ୍କର ଆରଟିପିସିଆର ଏହିପରି ମୋଟ ୨,୧୮୨ ଜଣଙ୍କର କୋଭିଡ୍‌  ପରୀକ୍ଷା କରାଯାଇଥିଲା। ଆଣ୍ଟିଜେନ ପରୀକ୍ଷାରୁ ୨୪ ଓ ଆରଟିପିସିଆର ପରୀକ୍ଷାରୁ ୧୬ ଜଣ ଏହି ପରି ୧.୮୩ ପ୍ରତିଶତ ହାରରେ ୪୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜୁଲାଇ ୨୯ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ୪୯୫ ଜଣ ଓ ହସପିଟାଲ ଆଇସୋଲେସନ ୱାର୍ଡ଼ରେ ୨୦ ଜଣ କୋଭିଡ଼-୧୯ ସଂକ୍ରମିତମାନଙ୍କୁ ରଖାଯାଇ ଚିକିତ୍ସା ପ୍ରଦାନ କରାଯାଇଥିଲା କୋଭିଡ଼-୧୯ ଦାୟିତ୍ୱରେ ଥିବା ପିଆରଏମ ମେଡ଼ିକାଲର ଡ଼ା ଚାରୁବାଳା ରଥ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର