ଭଞ୍ଜନଗର: ବିଶ୍ବ ନିୟନ୍ତା ପ୍ରଭୂ ଜଗନ୍ନାଥ ବଡ଼ ଠାକୁର ଭାବେ ସର୍ବତ୍ର ପୂଜିତ। ତାଙ୍କର ଆଖି ବଡ, ମନ୍ଦିର ବଡ଼, ଏମିତିକି ଯେଉଁ ରାସ୍ତାରେ ତାଙ୍କ ରଥଯାତ୍ରା ହୁଏ ତାହା ବଡ଼ ଦାଣ୍ଡ ଭାବେ ପରିଚିତ। ଭକ୍ତ ଓ ଭଗବାନର ଅପୂର୍ବ ମଳିନ ପାଇଁ ବର୍ଷକୁ ଥରେ କାଳିଆ ଠାକୁର ମନ୍ଦିରରୁ ବାହାରି ବାହାରକୁ ଆସନ୍ତି। ଯାହାକି ରଥଯାତ୍ରା ଭାବେ ସାରା ବିଶ୍ବରେ ପ୍ରସିଦ୍ଧ। ପୁରୀ ଜଗନ୍ନାଥ ମନ୍ଦିର ଭଳି ରାଜ୍ୟର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରରେ ରଥାଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଠାକୁର ରଥରେ ବିଜେ ହେବା ପରେ ସିଧା ଯାଇ ରଥ ଆଡପ ମଣ୍ଡପରେ ସବୁଠି ଲାଗିଥାଏ। କିନ୍ତୁ ଭଞ୍ଜନଗର ରଥଯାତ୍ରାରେ ଏହି ପରମ୍ପରା ଟିକେ ଭିନ୍ନ। ଜଗନ୍ନାଥ ମନ୍ଦିର ଏବଂ ଆଡପ ମଣ୍ଡପ ଥିବା ମନ୍ଦିରର ଭୌଗଳିକ ଦୃଷ୍ଟି କୋଣରୁ ମନ୍ଦିରରୁ ସିଧା ମାଉସୀ ମାଁ ମନ୍ଦିରକୁ ରଥ ଯାଇପାରୁନାହିଁ। ତେଣୁ ରଥଯାତ୍ରା ସମୟରେ ରଥକୁ ତିନି ବୁଲାଣି ଦେଇ କାଳିଆ ଠାକୁରକୁ ଆଡପ ମଣ୍ଡପ ମନ୍ଦିରକୁ ନିଆଯାଉଛି। ଯାହା ଫଳରେ ଅନ୍ୟସ୍ଥାନର ରଥଯାତ୍ରା ଠାରୁ ଭଞ୍ଜନଗରର ରଥଯାତ୍ରା ସ୍ବତନ୍ତ୍ର ହୋଇପାରିଛି। ଭଞ୍ଜନଗର ୱାର୍ଡ ନମ୍ବର ୩ରେ ରହିଥିବା ଜଗନ୍ନାଥ ମନ୍ଦିରରେ ବହୁ ପୁରତନ ନହେଲେ ମଧ୍ୟ ସମସ୍ତ ରୀତିନୀତି ଅନୁଯାୟୀ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପୂର୍ବରୁ ରାଜବଂଶର ଭଞ୍ଜଦେଓ ପରିବାରର ମନ୍ଦିରରେ ଥିବା ଜଗନ୍ନାଥ ମନ୍ଦିରର ଠାକୁରଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। କୌଣସି କାରଣରୁ ଦୀର୍ଘ ୧୬ ବର୍ଷ ରଥଯାତ୍ରା ବନ୍ଦ ହେବା ପରେ ୧୯୮୪ ମସିହାରେ ସ୍ଥାନୀୟ କିଛି ଧର୍ମପରାୟଣ ବ୍ୟକ୍ତି ସଙ୍ଗଠିତ ହୋଇ ରଥଯାତ୍ରା କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଶଗଡ ଚକ ସଂଗ୍ରହ କରିବା ସହ ମାଟି ଓ ଗୋବରରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଠିକ୍ ନେତ୍ରୋତ୍ସବ ପୂର୍ବ ଦିନ ଆଡପ ମଣ୍ଡପ ରହିଥିବା ରଘୁନାଥ ମନ୍ଦିର ପରିଚାଳନା କମିଟି ସେଠାରେ ଠାକୁରଙ୍କୁ ରଖିବାକୁ ମନା କରିଦେଇଥିଲେ। ସେମାନେ ନିର୍ମାଣ କରିଥିବା ପ୍ରତିମୂର୍ତ୍ତିଟିର ପ୍ରାଣ ପ୍ରତିଷ୍ଠା ହୋଇ ନଥିବାରୁ ରଥଯାତ୍ରା କରିବା ଅନୁଚିତ ବୋଲି କହିଥିଲେ। ଏହାପରେ ରଥଯାତ୍ରା କରିବା ପାଇଁ ଅଣ୍ଟା ଭିଡ଼ିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଭାଳେଣୀ ପଡିଗଲା। କିଭଳି ରଥଯାତ୍ରା ହେବ ସେନେଇ ବିଚାର ବିମର୍ଶ କରିବା ସମୟରେ ସହର ଉପକଣ୍ଠ ଗାମୁଣ୍ଡି ଗ୍ରାମରେ ପ୍ରାଣ ପ୍ରତିଷ୍ଠା ପାଇଥିବା ଜଗନ୍ନାଥଙ୍କ ଦାରୁବ୍ରହ୍ମ ପ୍ରଖ୍ୟାତ ପଣ୍ଡିତ ତଥା ଘୁମୁସର ଅଞ୍ଚଳର ବିଶିଷ୍ଠ ପୁରୋହିତ ପଦ୍ମ ଚରଣ ଦାସ(ଦାସ ଆପଣେ)ଙ୍କ ନିକଟରେ ଥିବା ଜାଣିବାକୁ ପାଇଥିଲେ। ଦାସ ଆପଣେ ଜଗନ୍ନାଥଙ୍କ ଏହି ଦାରୁବ୍ରହ୍ମକୁ ଘରେ ରଖି ପୂଜା କରୁଥିବା ବେଳେ ତାଙ୍କ ବାପା ରାଜ ପୁରୋହିତ ରହିଥିବାରୁ ତତ୍କାଳିନ ବଡ଼ଗଡ଼ ରାଜା ବ୍ରାହ୍ମଣକୁ ଦାନ ସ୍ବରୂପ ଏହି ଦାରୁ ମୂର୍ତ୍ତିଟି ଦେଇଥିଲେ। ତାଙ୍କ ବାପା କିଛିବର୍ଷ ଗାମୁଣ୍ଡି ମନ୍ଦିର ଏବଂ କିଛିବର୍ଷ କୁଲାଡ଼ ମନ୍ଦିରରେ ରଖିବା ପରେ ସଠିକ ପୂଜା ହୋଇପାରୁ ନଥିବାରୁ ନିଜ ଘରେ ରଖି ପୂଜା ଅର୍ଚ୍ଚନା କରୁଥିଲେ।
/sambad/media/post_attachments/wp-content/uploads/2022/06/BNJ-BJ-jahgannath-temple-1.jpg)
ଦାସ ଆପଣେଙ୍କ ସହ ଯୋଗାଯୋଗ କରି ଛାତିଏ ପାଣି ମଧ୍ୟରେ ଲୋହରାଖଣ୍ଡି ନଦୀ ପାର ହୋଇ ଭଞ୍ଜନଗରକୁ ଜଗନ୍ନାଥଙ୍କ ଦାରୁବ୍ରହ୍ମ ଅଣାଗଲା। ସ୍ବର୍ଗତ ନୃସିଂହ କୁମାର ରଥ, ବିଶ୍ବମ୍ବର ରଥ, ପି.ସୁବାରାଓ ପାତ୍ର,କେନ୍ଦୁ ପାତ୍ର, ତୁମ୍ବେଶ୍ବର ରାଓ, ଏସ୍.ଗୋପାଳ ରାଓଙ୍କ ସମେତ ପ୍ରଫୁଲ କୁମାର ମିଶ୍ର, ଏ.ମୋହନ ରାଓ, ସୁରେନ୍ଦ୍ର ବିଷୋୟୀ, ଶ୍ରୀନିବାସ ରାଓ, କୃଷ୍ଣ ବିଷୋୟୀ ଭଳି ଅନେକ ଯୁବଗୋଷ୍ଠୀଙ୍କୁ ନେଇ ଏକ କମିଟି ଗଠନ କରି ରଥଯାତ୍ରା କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ନାରାୟଣ ମନ୍ଦିର ସାମ୍ନାରେ ଥିବା ଏନ୍ଏସିର ଏକ ଲିଙ୍କ୍ ରୋଡ଼ରେ ଅସ୍ଥାୟୀ ଭାବେ ଚାଳ କୁଡିଆରେ ମନ୍ଦିର ନିର୍ମାଣ କରାଯାଇ ପ୍ରଥମବର୍ଷ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ଏହାପରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଏବଂ କମିଟି ସଦସ୍ୟଙ୍କ ଆପ୍ରାଣ ଉଦ୍ୟମ କ୍ରମେ ସେହି ସ୍ଥାନରେ ୨୭.୦୬.୧୯୮୭ ମସିହାରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଏହାପର ଠାରୁ ନିୟମିତ ରଥଯାତ୍ରା ସମ୍ପନ୍ନ ହୋଇ ଆସୁଛି। ମନ୍ଦିରଟି ପୂର୍ବରୁ ଛୋଟିଅ କୋଠରୀରେ ପ୍ରତିଷ୍ଠା କରାଯାଇଥିବା ବେଳେ ବର୍ତ୍ତମାନ ୨୨ ପାହାଚ ବିଶିଷ୍ଟ ଦୁଇ ମହଲା ଉପରେ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏଥିସହ ବିମଳା, ଲକ୍ଷ୍ମୀ ଏବଂ ଗଣେଷ ଭଗବାନଙ୍କ ମନ୍ଦିର ପ୍ରତିଷ୍ଠା ମଧ୍ୟ କରାଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ କୁମାର ରଥ ପ୍ରତିବର୍ଷ ଛେରାପହଁରା କରି ଆସୁଥିବା ବେଳେ ଗତ ୨ବର୍ଷ ତାଙ୍କର ଦେହାନ୍ତ ଘଟିଛି। ଚଳିତ ବର୍ଷ ତାଙ୍କ ପୁତ୍ର ଏହି କାର୍ଯ୍ୟ ସମ୍ପାଦନା କରିବେ। ପ୍ରତିବର୍ଷ ରଥଯାତ୍ରାରେ ନେତ୍ରୋତ୍ସବ ଠାରୁ ଆରମ୍ଭ କରି ହାତୀ ବେଶ ଅନୁଷ୍ଠିତ ହୁଏ।
ରଥଯାତ୍ରା ଦିନ ଅବକାଶ, ମଲମ, ମଙ୍ଗଳ ଆଳତି, ସେନାପଟ, ଟାହିଆ ପରିଧାନ ବଡ ସିଂହାର, ରଥ ପ୍ରତିଷ୍ଠା ଆଦି ସମାପନ ହେବା ପରେ ପହଣ୍ଡି ହୋଇଥାଏ। ରଥରେ ଠାକୁର ବିଜେ ହେବା ପରେ ମନ୍ଦିର ସିଧା ଆସି ପଲ୍ଲିବାସୀ ପ୍ରେସ୍ ଛକରୁ ଡାହାଣକୁ ବୁଲି ମସଜିଦ୍ ଛକକୁ ରଥ ଆସେ ସେଠାରୁ ବାମକୁ ବୁଲି ଭଞ୍ଜ ସାହିତ୍ୟ ପରିଷଦ ଛକକୁ ଆସେ ସେଠାରୁ ପୁଣି ବାମକୁ ବୁଲି ମୁଖ୍ୟ ସଡ଼କୁ ରଥ ଆସିଥାଏ। ଶେଷରେ ରଘୁନାଥ ମନ୍ଦିର ପରିସରରେ ଥିବା ଆଡପ ମଣ୍ଡପରେ ଜଗନ୍ନାଥଙ୍କ ବିଜେ ହୁଏ। ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେଉଥିବା ବେଳେ ବିଗତ ୨ ବର୍ଷ କରୋନା ମହାମାରୀ ପାଇଁ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ହୋଇଥିଲେ ମଧ୍ୟ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ନୂତନ ରଥ ନିର୍ମାଣ କରାଯାଇଛି। ବଦାନ୍ୟ ବ୍ୟକ୍ତି ଓ କର୍ମକର୍ତ୍ତାଙ୍କ ସହଯୋଗରେ ଦୀର୍ଘ ୩୫ ପରେ ନୂତନ ରଥ ନିର୍ମାଣ ହୋଇଛି। ପୂର୍ବରୁ ରଥର ଆକାର ଛୋଟ ରହିଥିବା ବେଳେ ସେଥିରେ ୪ଟି ଚକ ରହିଥିଲା ବର୍ତ୍ତମାନ ୬ ଚକ ସହ ୧୮ ଫୁଟ ଉଚ୍ଚ ବିଶିଷ୍ଟ ଏକ ସୁନ୍ଦର ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥରେ ରଙ୍ଗଦିଆ କାର୍ଯ୍ୟ ଜାରି ରହିଥିବା ସହ ଅଶ୍ବ ଓ ସାରଥୀ ନିର୍ମାଣ କାର୍ଯ୍ୟ ଚାଲିଥିବା କର୍ମକର୍ତ୍ତା ରାମ ଶଙ୍କର ପାତ୍ର କହିଛନ୍ତି।