ବରିଷ୍ଠ ସିଭିଲ ଜଜ୍‌-୨ଙ୍କ ନୂତନ କୋର୍ଟ ଉଦ୍‌ଘାଟିତ, ତ୍ବରାନ୍ବିତ ହେବ ମାମଲା ବିଚାର ପ୍ରକ୍ରିୟା

ବାରିପଦା: ବହୁପ୍ରତୀକ୍ଷିତ ଦେୱାନୀ ଅଦାଲତର ବରିଷ୍ଠ ସିଭିଲ ଜଜ୍‌- ୨ର ନୂତନ ଅଦାଲତ ଆଜି ପୂର୍ବାହ୍ନରେ ବାରିପଦା ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହୋଇଯାଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ବିଶ୍ୱନାଥ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନୂତନ କୋର୍ଟକୁ ଆନୁଷ୍ଠାନିକ ଭାବେ ଶୁଭଉଦ୍‌ଘାଟନ କରିଛନ୍ତି । ନ୍ୟାୟିକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସରଳ କରାଇବାରେ ଏହି ନୂତନ ଅଦାଲତ ବେଶ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପି ପାରମାର, ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍‌-୨ ଦେବଶ୍ରୀ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ବିଚାରପତି, ଆଇନଜୀବୀ ଉପସ୍ଥିତ ରହିଥିଲେ । ଏହି ନୂତନ କୋର୍ଟକୁ ଆଇନଜୀବୀମାନେ ସ୍ବାଗତ କରିଛନ୍ତି। ବରିଷ୍ଠ ଆଇନଜୀବୀ ବିଭୂପ୍ରସାଦ ଦାସଙ୍କ କହିବା ଅନୁସାରେ ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି ।

ଆଜି ଲୋକାର୍ପିତ ହୋଇଥିବା ଦେୱାନୀ ଅଦାଲତ ବରିଷ୍ଠ-୨ ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାବାସୀଙ୍କ ନିମନ୍ତେ ବେଶ ସହାୟକ ହୋଇ ପାରିବ । କୋର୍ଟ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇ ପାରିବ । ସହଜରେ ଜନସାଧାରଣ ନ୍ୟାୟ ପାଇ ପାରିବେ ଏବଂ ଜିଲ୍ଲାର ସଦର ମହକୁମା ବାରିପଦା ସହରର କେନ୍ଦ୍ରସ୍ଥଳରେ ଗୋଟିଏ ପରିସରରେ ସମସ୍ତ ପ୍ରକାରର ମାମଲାର ଶୁଣାଣି ହୋଇ ପାରିବ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେଣୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହ ସମସ୍ତ ବିଚାରପତିଙ୍କୁ ସାଧୁବାଦ ଜଣାଉଛି ବୋଲି ବିଶିଷ୍ଟ ଆଇନଜୀବୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

 

ସମ୍ବନ୍ଧିତ ଖବର