କଟକ: କଟକରେ ଖୋଲିଲା ନୂତନ କ୍ରିକେଟ ଏକାଡେମୀ। ଆଠଗଡ଼ସ୍ଥିତ କପୁରସିଂ ଅଞ୍ଚଳରେ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ ପକ୍ଷରୁ ଏହି କ୍ରିକେଟ ଏକାଡେମୀ ଆଜିଠୁ ଶୁଭାରମ୍ଭ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଏକାଡେମୀର ଶୁଭାରମ୍ଭ କରିଛନ୍ତି। ହାର୍ଡ ଓ ଫ୍ଲାଟ ପିଚ ସାଙ୍ଗକୁ ଭଲ ଆଉଟ ଫିଲଡ଼ ରହିଛି ଏହି ଏକାଡେମୀର। ଏଠି ଅଭ୍ୟାସ କରିବା ଦ୍ୱାରା ଅନେକ ସୁଯୋଗ ସୃଷ୍ଟି ହେବା ସହ ନୁଆ ନୂଆ ଖେଳାଳି ଓଡ଼ିଶାକୁ ପ୍ରତିନିଧିତ୍ୱ ମଧ୍ୟ କରି ପାରିବେ ବୋଲି କହିଛନ୍ତି ସୁରେଶ ରୈନା। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ଓସିଏ ସଂପାଦକ ସଂଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଓସିଏର ଭିଜନ ୨୦୨୪ ଅନୁସାରେ ଓଡ଼ିଶା କ୍ରିକେଟ ସଙ୍ଘ ବର୍ତ୍ତମାନ ନୂଆ କ୍ରିକେଟ ଖେଳାଳି ଖୋଜିବାରେ ଲାଗି ପଡ଼ିଛି। ନୂତନ ବ୍ଲୁ ପ୍ରିଣ୍ଟ ଅନୁସାରେ ୨୦ ଜିଲାରେ ଟର୍ଫ ପିଚ ନିର୍ମାଣ ସରିଛି ଆଉ ଖୁବ କମ ଦିନ ମଧ୍ୟରେ ବାକି ଜିଲ୍ଲାରେ ଟର୍ଫ ପିଚ ନିର୍ମାଣ ହୋଇଯିବ। ୩୦ଟି ଜିଲ୍ଲାରେ ୩୫ଟି କ୍ରିକେଟ ଏକାଡେମୀ ଏକତରଫା ଭାବରେ ଉଦ୍ଘାଟନ ହେବ। ଯାହାଦ୍ୱାରା ନିଜ ଜିଲ୍ଲାରେ ରହି ଇଛୁକ ଖେଳାଳିମାନେ ଏକାଡେମୀରେ କ୍ରିକେଟ ପ୍ରଶିକ୍ଷଣ ନେବା ସହ ମ୍ୟାଚ ମଧ୍ୟ ଖେଳି ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।
ଅନ୍ୟପଟେ ଏହି ଏମ୍ଜିଏମ୍ ପକ୍ଷରୁ ଆରମ୍ଭ ହୋଇଥିବା ଏକାଡେମୀ ଉଭୟ ଜୁନିୟର ସିନିୟର ଖେଳାଳିମାନଙ୍କ ପାଇଁ ବେଶ ଲାଭ ଦାୟକ ହେବ। ଏହି ପିଚରେ ଯେତେ ଅଧିକରୁ ଅଧିକ ମ୍ୟାଚ ଖେଳାଯିବ ତାହାଦ୍ୱାରା ଖେଳରେ ସୁଧାର ଆସିବା ସହ ଭଲ ପଦର୍ଶନର ଆଶା ରହିବ ବୋଲି କହିଛନ୍ତି ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ। ତେବେ ଆଗମୀ ଦିନରେ ଓସିଏ ଏହି ଏକାଡେମୀରେ ଉଭୟ ଘରୋଇ ଓ ଜାତୀୟ ସ୍ତରୀୟ ମ୍ୟାଚ କରିବା ନେଇ ଯୋଜନା କରୁଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।