ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ-୨୦୨୧ ପ୍ୟାରେଡରେ ଝଲସିବେ ଜୟପୁରର ବର୍ଷା

ଜୟପୁର: ନୂଆଦିଲ୍ଲୀ ରିପବ୍ଲିକ୍ ଡେ-୨୦୨୧ ପ୍ୟାରେଡରେ ଝଲସିବେ କୋରାପୁଟଜିଲ୍ଲା ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ସାହୁ। ଜାତୀୟ ସେବା ଯୋଜନା ତରଫରୁ ଓଡିଶାର ୮ଜଣିଆ ଦଳରେ ବର୍ଷା ସ୍ଥାନ ପାଇଛନ୍ତି। ବର୍ଷା ପ୍ରଥମେ କଲେଜ, ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ପରେ ଜୋନ ସ୍ତରରେ ମନୋନୀତ ହୋଇଥିଲେ। ଜୋନସ୍ତରରେ ମନୋନୀତ ହେବା ପରେ ସୋଆ ବିଶ୍ବବିଦ୍ୟାଳୟରେ ୧୫ଦିନ ଧରି ପ୍ରାକଃ ପ୍ୟାରେଡ୍ ତାଲିମ ବି ନେଇଥିଲେ। ଏଠାରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟସ୍ତରରୁ ନୂଆଦିଲ୍ଲୀରେ ହେବାକୁ ଥିବା ରିପୋବ୍ଲିକ୍ ଡେ ପ୍ୟାରେଡରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଆଜି ଏହି ଖବର ପହଚିଂବା ପରେ ମହିଳା ମହାବିଦ୍ୟାଳୟରେ ଖୁସିର ଲହରି ଖେଳି ଯାଇଥିଲା। ଛାତ୍ରୀ ବର୍ଷାଙ୍କୁ କଲେଜରେ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦେଶକ ତ୍ରିନାଥ ପ୍ରସାଦ ରଥ ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନା ସମୟରେ ଜିଲ୍ଲା ଏନଏସଏସ୍ ସଂଯୋଜକ କିଶୋର କୁମାର ବେହେରା, କଲେଜର ଏନଏସଏସ୍ ଅଧିକାରୀ ଡ.ମନୋରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସରକାରୀ ମହିଳା ମହାବିଦ୍ୟାଳୟର ଏନଏସଏସ୍ ଶାଖା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ, ସ୍ବଚ୍ଛଭାରତ ମିଶନ ସହ ଟ୍ରାଫିକ୍ ଭଲ୍ୟୁଣ୍ଟର ଆଦି ସେବା ମୂଳକ କାର୍ଯ୍ୟକ୍ରମ ଅଧିକାରୀ ଡ.ପ୍ରଧାନ ଓ ଅଧ୍ୟକ୍ଷାଙ୍କ ପ୍ରୟାସରେ ଜାରୀ ରହିଛି। ମହିଳା ମହାବିଦ୍ୟାଳୟ ସ୍ଥାପନ ପର ଠାରୁ ପ୍ରଥମ କରି ଜଣେ ଛାତ୍ରୀ ନୂଆଦିଲ୍ଲୀ ରିପବ୍ଲିକ୍ ଡେ ପ୍ୟାରେଡରେ ଭାଗ ନେବା ପ୍ରଥମ। ବର୍ଷା ଏହି ପ୍ୟାରେଡରେ ଭାଗ ନେଇ ଓଡିଶା, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କୋରାପୁଟ ଜିଲ୍ଲା ଏବଂ କଲେଜର ନାଁକୁ ନିଶ୍ଚିତ ରୁପେ ରଖିବେ ବୋଲି ଅଧ୍ୟକ୍ଷା ଏବଂ ଏନଏସଏସ୍ ଅଧିକାରୀ ଆଶା ପ୍ରକଟ କରିଛନ୍ତି। ଏହି ପ୍ୟାରେଡରେ ଭାଗ ନେଇ ସ୍ବେଚ୍ଛାସେବୀ ଜଣକ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଆଦିଙ୍କ ସହ ଦେଖା ସାକ୍ଷାତ ବି ବର୍ଷା କରିବେ । ସେ ଆସନ୍ତା ୨୭ତାରିଖ ଦିନ ନୂଆଦିଲ୍ଲୀ ଅଭିମୁଖେ ଯିବେ। ସେଠାରେ ସେ ରିପୋବ୍ଲିକ୍ ଡେ ପ୍ୟାରେଡ୍ ପାଇଁ ଅଭ୍ୟାସ କରିବେ।

ସମ୍ବନ୍ଧିତ ଖବର