ବାଲେଶ୍ୱରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦତାତ୍ରୟ ଭାଉସାହେବ ସିନ୍ଦେ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ସେ ବିଦାୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସିନ୍ଦେ ଏହା ପୂର୍ବରୁ ବାଲିଗୁଡା ଉପଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ ମହାରାଷ୍ଟ୍ର ରାଜ୍ୟ ଅହମ୍ମଦନଗରର ବାସିନ୍ଦା ହୋଇଥିବାବେଳେ ସେ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି। କାର୍ଯ୍ୟରେ ଯୋଗଦାନ ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ୱାଗତ ଜଣାଇଥିଲେ। ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ ପରେ ଜିଲ୍ଲା ମୁଖ୍ୟ ହସପିଟାଲ ପରିଦର୍ଶନ କରିବା ସହ ସୋରରେ ହେବାକୁ ଥିବା ମିଳିତ ଜନଶୁଣାଣିରେ ଯୋଗ ଦେଇ ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଶୁଣିଥିଲେ। ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ନୂତନ ଜିଲ୍ଲାପାଳଙ୍କ ଆହ୍ବାନ
ସରକାରଙ୍କ ସମସ୍ତ ଯୋଜନାକୁ ୫-ଟି ଜରିଆରେ ଲୋକଙ୍କ ପାଖରେ ଯେମିତି ପହଞ୍ଚିପାରିବ ଏହା ଉପରେ ଗୁରୁତ୍ବ ଦେବି। ବାଲେଶ୍ବରରେ ବନ୍ଦର ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ସେମିତି ଜଳସେଚନ ପ୍ରକଳ୍ପ, ମତ୍ସ୍ୟ ବିଭାଗର ଯେଉଁ ପ୍ରକଳ୍ପ ରହିଛି ଏହାକୁ ସଂପୂର୍ଣ୍ଣ କରିବି। ପ୍ରାକୃତିକ ଦୁର୍ବିପାକ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସବୁବେଳେ ସଫଳତା ହାସଲ କରିଛି। ବାଲେଶ୍ବର ଜିଲ୍ଲା ବି ପ୍ରତିବର୍ଷ ଏଥିରେ ପ୍ରଭାବିତ ହୋଇଥାଏ। ତେଣୁ ଏହାକୁ ସଫଳତାର ସହ ମୁକାବିଲା କରିବା ପାଇଁ ଉଦ୍ୟମ କରିବି। ବାଲେଶ୍ବରରେ ବାଲି ଚୋରାଚାଲାଣକୁ ରୋକିବା ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ରହିବ। ଆଇନ୍‌ ଅବମାନନାକାରୀଙ୍କ ଉପରେ କଡ଼ା ନଜର ରଖି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ସେହିପରି ନିଶା କାରବାର ଓ ଅପରାଧ ବାଲେଶ୍ବରରେ ବୃଦ୍ଧି ପାଇଥିବା ବେ‌ଳେ ଏହାକୁ ପୁଲିସ ସହାୟତାରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବି। ଶିକ୍ଷା ଓ ସ୍ବାସ୍ଥ୍ୟକୁ ମୁଁ ସବୁବେଳେ ପ୍ରାଧାନ୍ୟ ଦେଇଥାଏ। ତେଣୁ ଆଜି କାର୍ଯ୍ୟରେ ଯୋଗ ଦେବା ପରେ ମୁଁ ପ୍ରଥମେ ମୁଖ୍ୟ ଚିକିତ୍ସାଳୟକୁ ଯାଇ ବୁଲି ଦେଖିଥିଲି। ଚିକିତ୍ସାଳୟ ବ୍ୟବସ୍ଥିତ ଭାବେ ଚାଲିଥିବାର ଅନୁଭବ କଲି। ବାଲେଶ୍ବରର ସର୍ବାଙ୍ଗୀନ ବିକାଶ ପାଇଁ ଶତ ଚେଷ୍ଟା କରିବି।

ସମ୍ବନ୍ଧିତ ଖବର