ମେଡିକାଲ କଲେଜର ନୂଆ କୋଠା ପାଇଁ ଜାଗା ଅନୁଧ୍ୟାନ କଲେ ମୁଖ୍ୟ ଯନ୍ତ୍ରୀ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ସମ୍ପ୍ରସାରିତ କୋଠା ପାଇଁ ଜାଗା ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(କୋଠାବାଡି) ସତ୍ୟ ରଂଜନ ସେଠୀ। ସେ କୋରାପୁଟ ଗସ୍ତରେ ଆସି ପ୍ରସ୍ତାବିତ ଦୁଇଟି ସ୍ଥାନ ଦେଖିଥିଲେ। ବଡ ଡାକ୍ତରଖାନାର ଏହି ୬୫୦ ଶହ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଡାକ୍ତରଖାନାର ପରିସରରେ ଥିବା ଖାଲି ସ୍ଥାନ ଓ କୁମ୍ଭା ମୌଜାର ଏକ ସ୍ଥାନ ଚୟନ କରାଯାଇଛି। ଏହି ଦୁଇଟି ଯାକ ସ୍ଥାନକୁ ଆଜି ମୁଖ୍ୟ ଯନ୍ତ୍ରୀ ଯାଇଥିଲେ। ଏହି ସମୟରେ ସେ ପାରିପାର୍ଶିକ ସ୍ଥିତି ଦେଖିବା ସହ ବିଭିନ୍ନ ଦିଗକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

କୁମ୍ଭା ମୌଜାରେ ଥିବା ଜାଗା ବଡ ଡାକ୍ତରଖାନାରୁ କିଛି ଦୂରରେ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ଏହା ସହ ଏବେ ‌ଡାକ୍ତରଖାନା ପରିସରରେ ଥିବା ଖାଲି ସ୍ଥାନ ସହିତ କ୍ୟାଣ୍ଟିନ, କ୍ବାଟର୍ସ ଥିବା ସ୍ଥାନକୁ ମିଶାଇ ଏକ ବଡ ଜାଗା ଚିହ୍ନଟ କରିବାକୁ ସେ ପରାମର୍ଶ ଦେଇଥିଲେ। ଆସନ୍ତା ସପ୍ତାହରେ ଏକ ଉଚ୍ଚ ସ୍ତରୀୟ ସର୍ଭେ ଟିମ ଏଠାକୁ ଆସି ବିଭିନ୍ନ କ୍ଷେତ୍ରକୁ ନଜରରେ ରଖି ସର୍ଭେ କରିବ। ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। କୋରାପୁଟ ବଡ ଡାକ୍ତରଖାନାକୁ ମୋ ସରକାର ଟିମ ପରିଦର୍ଶନ କରିବା ପରେ ଏଠାରେ ୫ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ଘୋଷଣା କରିଥିଲେ।

ଡାକ୍ତରଖାନାର ଏହି ନୂଆ କୋଠା ନିର୍ମାଣ ନେଇ ୪ ମାସ ତ‌ଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ୫ ଶହ ଶଯ୍ୟା ବିଶି‌ଷ୍ଟ ଏହି କୋଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ ସେତେବେଳେ କୁହାଯାଇଥିଲା। କିନ୍ତୁ ପରେ ଏହାକୁ ବଢାଇ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏବେକାର ଡାକ୍ତରଖାନା ପରିସରରେ ଆବଶ୍ୟକ ଜାଗା ନ ଥିବାରୁ ଏହା କେଉଁଠି ନିର୍ମାଣ ହେବ ତାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ଡାକ୍ତରଖାନା ପରିସରରେ ଏହି ସମ୍ପ୍ରସାରିତ କୋଠା ନିର୍ମାଣ କରାଗଲେ ଏବେ ଥିବା କିଛି ଘର, କ୍ୟାଣ୍ଟିନ ଓ କ୍ବାଟର୍ସ ଭାଙ୍ଗିବାକୁ ପଡିବ। ଏପରି କରାଗଲେ ଆବଶ୍ୟକ ୧୦ ଏକର ଜମି ବାହାରି ପାରିବ ବୋଲି ଜଣାପଡିଛି। ଆଜି ମୁଖ୍ୟଯନ୍ତ୍ରୀଙ୍କ ଏହି ଅନୁଧ୍ୟାନ ସମୟରେ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କିଶୋର ନନ୍ଦ, ଏସଡିଓ ମଧୁସ୍ମିତା ସାମଲ, ସହକାରୀ ଯନ୍ତ୍ରୀ ଶରତ ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର