ଆଇଆ‌ଇଏମ୍‌ ସମ୍ବଲପୁରର ନୂତନ ଲୋଗୋ ଉନ୍ମୋଚିତ, ଏଥିରେ ବି ସମ୍ବଲପୁରୀ ଝଲକ୍

‌ସମ୍ବଲପୁର: ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ଏହାର ଅଫିସିଆଲ୍‌ ଲୋଗୋ ଉନ୍ମୋଚନ କରାଯାଇଛି। ଏହି ଲୋଗୋରେ ସମ୍ବଲପୁରୀ ଝଲକ୍‌ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇଆଇଏମ୍‌ ସମ୍ବଲପୁର ଚାଲିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର କାନ୍ଥଗୁଡ଼ିକରେ ସମ୍ବଲପୁରୀ ଚିତ୍ର, ସମାବର୍ତ୍ତନ ଉତ୍ସବରେ ସମ୍ବଲପୁରୀ ଗାମୁଛା ଓ ବସନ୍ତପୁରରେ ନିର୍ମାଣ ହେବାକୁ ଥିବା ସ୍ଥା‌ୟୀ କ୍ୟାମ୍ପସରେ ସମ୍ବଲପୁରୀ କଳାକୁ ସ୍ଥାନିତ କରିବାର ଯୋଜନାକୁ ନେଇ ଅନୁଷ୍ଠାନ ବେଶ୍‌ ଚର୍ଚ୍ଚାରେ ରହିଥିଲା।

ତେବେ ବର୍ତ୍ତମାନ ଲୋଗୋରେ ପୁଣି ସମ୍ବଲପୁରୀ ଝଲକ୍‌ ଅନୁଷ୍ଠାନ ସମ୍ବଲପୁରୀ ଭାଷା, ସଂସ୍କୃତି ସହ କେତେ ଜଡ଼ିତ ତାହା ପ୍ରମାଣିତ କରୁଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ନୂତନ ଲୋଗୋରେ ମୋଟ ୧୧ଟି ଚାରିକୋଣିଆ କୋଠରୀ ରହିଛି। ପ୍ରତିଟି କୋଠରୀରେ ୩ଟି ଲେଖାଏଁ ଗାର ରହିଛି। ଏହି ୩ଟି ଗାର ଆଇଆଇଏମ୍‌ ସମ୍ବଲପୁରର ୩ଟି ଅଂଶ ବିଶେଷ ଅନୁଷ୍ଠାନ, ଶିଳ୍ପ ଓ ସମାଜକୁ ବୁଝାଉଛି।

ଏହି ଲୋଗୋରେ ଆଇଆଇଏମ୍‌ ସମ୍ବଲପୁରର ଲକ୍ଷ୍ୟ ଆବିଷ୍କାର, ସମନ୍ବୟତା ଓ ସହଭାଗିତା ମଧ୍ୟ ପ୍ରତିଫଳିତ ହେଉଥିବା ନିର୍ଦେଶକ ପ୍ରଫେସର ମହାଦେଓ ଜୟଶ୍ବାଲ କହିଛନ୍ତି। ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଡିଜାଇନ୍‌କୁ ଆଇଆଇଏମ୍‌ ସମ୍ବଲପୁରର ଲୋଗୋରେ ସ୍ଥାନିତ କରିବା ଦ୍ବାରା ଅନୁଷ୍ଠାନର ଆଞ୍ଚଳିକ ସହଭାଗିତା ସ୍ପଷ୍ଟଭାବେ ବାରି ହୋଇପଡ଼ିବ ବୋଲି ପ୍ରଫେସର ଜୟଶ୍ବାଲ କହିଛନ୍ତି।

ସମ୍ବନ୍ଧିତ ଖବର