ଜୟପୁର: ପ୍ରତି ୨୦ବର୍ଷରେ ଥରେ ଯେ କୌଣସି ସହରର ସାମଗ୍ରୀକ ବିକାଶ, ସ୍ବେରେଜ ବ୍ୟବସ୍ଥା, ସାଧାରଣ ମୌଳିକ ସେବାର ଉନ୍ନୟନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥାଏ। ଜୟପୁର ସହରର ମାଷ୍ଟର ପ୍ଲାନ କ୍ରୀଟ (କୋରାପୁଟ ରୁଲାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ) ପକ୍ଷରୁ ୩୮ବର୍ଷ ତଳେ ୧୯୮୫ମସିହାରେ ଶେଷ ଥର ପାଇଁ ପ୍ରସ୍ତୁତ ହୋଇଥିଲା। ପୁଣି ନୂଆରେ ୨୦୦୫ମସିହାରେ କରାଯିବା କଥା। କିନ୍ତୁ ଏହା ହୋଇ ନ ପାରିବା ଫଳରେ ମାଷ୍ଟର ପ୍ଲାନ ବିହୀନ ସହର ପାଲଟିବା ସହ ବିଗଡ଼ିଯାଇଛି ସ୍ବେରେଜ ଓ ଟ୍ରାଫିକ ବ୍ୟବସ୍ଥା। ସୂଚନାଯୋଗ୍ୟ, ୧୯୮୫ମସିହା ଜୁଲାଇ ମାସରେ ଜନସଂଖ୍ୟା ୫୮ହଜାର ୩୧୪କୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ୨୦୦୫ ମସିହାରେ ଆଉ ଗୋଟିଏ ମାଷ୍ଠର ପ୍ଲାନ କରାଯିବା କଥା। କିନ୍ତୁ କ୍ରୀଟରେ ମାନବସମ୍ବଳ ଅଭାବ ଆଳରେ ଏହା ପ୍ରସ୍ତୁତ ହୋଇ ପାରିନଥିଲା।
ସେତେବେଳର ଞାନ କୌଶଳ ଜିପିଆରଏସ୍ ଓ ଜିଓ ଇନଫରମେଟିକ ସିଷ୍ଟମ/ ରିମୋଟ ସେନସିଂମାଧ୍ୟମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କ୍ରୀଟ ଯୋଜନା କରିଥିଲା। ଏହାକୁ ଓଡିଶା ସ୍ପେଶ ଆପ୍ଲିକେସନ୍ ସେଣ୍ଟର ମାଧ୍ୟମରେ ଏହା ପ୍ରସ୍ତୁତ କରିବାକୁ ଟେଣ୍ଡର ବି ଆହ୍ବାନ କରାଯାଇଥିଲା। ନୂଆଦିଲ୍ଲୀର ଗୋଟିଏ ସଂସ୍ଥା ୧୮ଲକ୍ଷ ୭୦ହଜାର ଟଙ୍କାରେ ଏହା ପ୍ରସ୍ତୁତ କରି ଦେବାକୁ ଟେଣ୍ଡର ପାଇବା ସହ ୨୦୦୭ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାର ଥିଲା। କିନ୍ତୁ ସଂସ୍ଥା କିଛି ଦାଖଲ କରି ନି। ଏହାପର ଠାରୁ ଆଉ ମାଷ୍ଟର ପ୍ଲାନର ଯୋଜନା ହୋଇନି। ୧୯୮୫ ମସିହାରୁ ୨୦ବର୍ଷ ଯେଉଁ ମାତ୍ରାରେ ଜନସଂଖ୍ୟା, ଘର, ବ୍ୟବସାୟୀକ ପ୍ରତିଷ୍ଠାନ, ଗ୍ୟାରେଜ୍, ନୂଆ ନୂଆ କଲୋନୀ ବୃଦ୍ଧି ପାଇଥିଲା ତା’ ଠାରୁ ଦଶଗୁଣା ୨୦୦୫ମସିହା ପର ଠାରୁ ବଢ଼ିଯାଇଛି। ଏବେ ସହରର ଜନସଂଖ୍ୟା ଦେଢ଼ ଲକ୍ଷ। ୨୦ରୁ ଉର୍ଦ୍ଧ୍ବ ନୂଆ ନୂଆ କଲୋନୀ ନିର୍ମାଣ ସହ ସହରର ଚାରିପାର୍ଶ୍ବରେ ଥିବା ପଞ୍ଚାୟତ-ସହର ସୀମାବର୍ତ୍ତୀ ଅଞ୍ଚଳକୁ ବି ଲାଗିଗଲାଣି। ବହୁ ପୁରୁଣା ସାହିରେ ଥିବା ପୁରୁଣା ଘର ଗୁଡିକୁ ଭାଙ୍ଗି ସେଠାରେ ନୂଆ ନୂଆ ଘର, ଆପାର୍ଟମେଣ୍ଟ ଗୁଡିକ ବି ନିର୍ମାଣ ହୋଇଗଲାଣି। ଏତେ ବଡ ସହରର ସ୍ବେରେଜ ବ୍ୟବସ୍ଥାର ଠିକ ମ୍ୟାପ ବି ପୌରପାଳିକା ନିକଟରେ ନାହିଁ।
ଡ୍ରେନ ଗୁଡିକ କେଉଁଠି ଆରମ୍ଭ କେଉଁଠି ଶେଷ ହୋଇ କିଭଳି ଜଳନିଷ୍କାସନ ବ୍ୟବସ୍ଥା କରାଯିବ ତାହା ନାହିଁ। ଲୋକେ ବି ମନଇଛା ସ୍ଥାନରେ ଘର ନିର୍ମାଣ କରିବା ଫଳରେ ସାମାନ୍ୟ ବର୍ଷା ହେବା ମାତ୍ରକେ ଡ୍ରେନର ପାଣି ନିଷ୍କାସନ ହେବାର ସମସ୍ୟା ଉପୁଜିବା ସହ ବହୁ କଲୋନୀ ଓ ସାହି ବାସି ଏବେ ଜଳବନ୍ଦୀ ହେଉଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ବି ଏହି ସ୍ଥିତିରେ ପାନୀୟ ଜଳଯୋଗାଣ କରିବା ପାଇଁ ମୁସ୍କିଲରେ ପଡ଼ିଛି। ବହୁ ସମୟରେ ସହରରେ ପାନୀୟ ଜଳଯୋଗାଣ ସଠିକ ଭାବେ ପରିଚାଳନା ହୋଇ ପାରୁନି। ହେଉଛି। ଘର, ଜନସଂଖ୍ୟା, ବ୍ୟବସାୟୀକ ପ୍ରତିଷ୍ଠାନ ସହ ଦୁଇ ଓ ଚାରିଚକିଆ ଗାଡ଼ି ସଂଖ୍ୟା ବୃଦ୍ଧିଫଳରେ ଏବେ ସହରର ଟ୍ରାଫିକ ବ୍ୟବସ୍ଥା ବି ବିଗଡ଼ିଗଲାଣି। ସମ୍ପ୍ରତି ନୂଆ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ କ୍ରୀଟ ପକ୍ଷରୁ ପୌରପାଳିକା ଠାରୁ କେତେ ସଂଖ୍ୟକ ସାହି, ଗଳି, ନୂଆ ନୂଆ କଲୋନୀ, ଜଳାଶୟ, ନଳକୁପ, ବ୍ୟବସାୟୀକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ଖେଳ ପଡ଼ିଆ, ଷ୍ଟାଡିୟମ ଆଦି ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ନେଉଛନ୍ତି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଏହାକୁ ପ୍ରସ୍ତୁତ କରିବାକୁ ଆଉ ବର୍ଷକ ସମୟ ଲାଗିବ ତା’ସହ ପୌରପାଳିକା ପକ୍ଷରୁ ବି ସହରରେ ଥିବା ସ୍ବେରେଜ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏକ ବେସରକାରୀ ବୈଷୟିକ ସଂସ୍ଥା ଜରିଆରେ ସର୍ଭେ କରିବାର ଯୋଜନା ରହିଛି ବୋଲି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।