ଟାଟା ପାୱାର ନୂଆ ବିଦ୍ୟୁତ ମିଟର ଜୋର ଜବରଦସ୍ତ ଲଗାଉଥିବା ଅଭିଯୋଗ

ଜୟପୁର: ଟାଟା ପାୱାର ଲିମିଟେଡ୍ ବିଦ୍ୟୁତ ବିତରଣର ଦାୟିତ୍ବ ନେବା ପରେ ଏବେ ନୂଆ ରଣନୀତି ଆପଣାଇଛି। କିଛି ଠିକା କର୍ମଚାରୀଙ୍କ ଜରିଆରେ ଏବେ ଗ୍ରାମାଂଚଳର ଘରକୁ ଘର ବୁଲି ଜୋର ଜବରଦସ୍ତ ନୂଆ ମିଟର ଲଗାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଗ୍ରାହକଙ୍କର ମିଟର ଖରାପ ଥିବ ସେ ମିଟର ପରିବର୍ତ୍ତନ କରିବା ବଦଳରେ ନୂଆ ମିଟର ମାଗଣାରେ ଟାଟାପାୱାର ଏପରି ଲଗାଇବା ପଛରେ ରହସ୍ୟ ରହିଛି ବୋଲି କହିଛନ୍ତି ବିଜେପିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ। ଏହି ମିଟର ଗୁଡ଼ିକରେ ଅଧିକା ରିଡ଼ିଂ ଆସିବ ଏବଂ ଲୋକେ ଅଧିକା ବିଦ୍ୟୁତ ଦେୟ ଦେବାକୁ ପଡିବ ଏବଂ ଏହି ସବୁ ମିଟରକୁ ଟ୍ୟାମ୍ପରିଂ କରି ଟାଟାପାୱର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ବି କରିଛନ୍ତି ଶ୍ରୀ ସାମନ୍ତରାୟ ଓ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସାୱନ ମହାନ୍ତି।

ଖାସ୍ କରି ସହରର ବସ୍ତି ଅଂଚଳ ଓ ଗ୍ରାମାଂଚଳରେ ଏଭଳି ମିଟର ଜୋର ଜବରଦସ୍ତ ଲଗାଉଛନ୍ତି କର୍ମଚାରୀ। ଗ୍ରାହକ ପଚାରିଲେ ପୁରୁଣା ମିଟର ଖରାପ ଥିଲା ଏବଂ ନୂଆ ମିଟର କଂପାନୀ ମାଗଣାରେ ଦେଉଛି ବୋଲି ବି ଭୁଆଁ ବୁଲାଉଥିବା ଜୟପୁର ବ୍ଲକର ଉପରଗୁଡ଼ା ଗାଁର ରଇଲୁ ଅମନାତ୍ୟ ଅଭିଯୋଗ କରିଛନ୍ତି। ସେ ଗତ ଦୁଇ ମାସ ତଳେ ନୂଆ ମିଟର ଲଗାଇଥିଲେ। ଏବେ ସେ ଯେତେ ମନା କରିବା ସତ୍ବେ ବି ଟାଟା କଂପାନୀ ଜୋର ଜବରଦସ୍ତ ନୂଆ ମିଟର ଲଗାଇଥିବା ଅଭିଯୋଗ କରିଛନ୍ତି ରଇଲୁ।

ବିଲରେ ଇଲେକ୍ଟ୍ରିକ୍ ଡ୍ୟୁଟି ନାଁରେ ୩୫ଟଙ୍କା ଓ ଫିକ୍ସ ଚାର୍ଜ ନାଁରେ ୪୦ଟଙ୍କା ଏଭଳି ୭୫ଟଙ୍କା ବିଲ୍ ପିଛା ଅଧିକା ନେବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର ଓ ଆଇନଜୀବୀ ରବିନ୍ଦ୍ର ପାତ୍ର। ଜୋର ଜବରଦସ୍ତ ମିଟର ଲଗାଇବା ପଛରେ କିଛି ଅଲଗା ଉଦ୍ଦେଶ୍ୟ ରହିଛି ବୋଲି ଉଭୟ କହିଛନ୍ତି। ସଂପ୍ରତି ସହରର ବସ୍ତି ଓ ଗ୍ରାମାଂଚଳରେ ଟାଟା ପାୱର କଂପାନୀ ପକ୍ଷରୁ ମାଗଣାରେ ମିଟର ଲଗାଯାଉଛି । ତେବେ ଖରାପ ଥିବା ମିଟରକୁ ହିଁ ପରିବର୍ତ୍ତନ କରିବାକୁ କୁହାଯାଇଛି ବୋଲି କହିଛନ୍ତି ଜୟପୁର ଟାଟା ପାୱର ଏସଡିଓ ଅମିୟ କୁମାର ଗିରୀ। ଏଭଳି ଅଭିଯୋଗ ଆସିଲେ ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ଏସଡିଓ।

ସମ୍ବନ୍ଧିତ ଖବର