ଗୋରୁ ଚାଲାଣର ନୂଆ ବାଟ, ଆଖି ପିଛୁଳାକେ ବୋଲେରୋ, ପିକଅପ୍‌ ଗାଏବ୍‌

ଦୁଇ ସପ୍ତାହରେ ମିଳିଲାଣି ଦୁଇ ଚୋରି ଗାଡ଼ି

କେନ୍ଦ୍ରାପଡ଼ା: ହୁସିଆର! ଆପଣ ଘର ଆଗରେ ଚାରିଚକିଆ ଗାଡ଼ି ରଖୁଛନ୍ତି କି? ତା’ହେଲେ ହେଇଯାଆନ୍ତୁ ସାବଧାନ। ବିଳମ୍ବିତ ରାତିରେ ଯେକୌଣସି ମୁହୂର୍ତ୍ତରେ ଚୋରି ହେଇଯିବ ଆପଣଙ୍କ ଚାରି ଚକିଆ ଗାଡ଼ି। କାରଣ, ମାତିଛନ୍ତି ଏକ ଅଭିନବ ଚୋର ଗ୍ୟାଙ୍ଗ୍‌। ଟାର୍ଗେଟ୍‌ରେ ବୋଲେରୋ ଏବ˚ ପିକଅପ୍‌ ଭ୍ୟାନ୍‌। ଅତି ଚତୁରତାର ସହିତ ଏହି ଗ୍ୟାଙ୍ଗ୍‌ ଗାଡ଼ି ଚୋରି କରି ନେବା ପରେ ସେଥିରେ ଗୋରୁ ଚାଲାଣ ହେଉଛି। ଅଳ୍ପ କିଛି ଦିନ ଗୋରୁ ବୋହିବା ପରେ ଅନ୍ୟ ଏକ ଜାଗାରେ ସେହି ଗାଡ଼ି ରଖି ପାର‌୍‌ ହେଇ ଯାଉଛନ୍ତି। ଗୋଟିଏ ନୁହେଁ, ଦୁଇ ଦୁଇଟି ଚୋରି ସମାନ ଢଙ୍ଗରେ ହେବା ଏବ˚ ଦୁଇ ସପ୍ତାହକ ଭିତରେ ଗାଡ଼ି ମିଳିବା ପରେ ଏହି ଅଭିନବ ଚୋର ଗ୍ୟାଙ୍ଗ୍‌ର କଳା କାରନାମା ସାମ୍ନାକୁ ଆସିଛି। ଗତ ୮ତାରିଖରେ ଚାନ୍ଦୋଳ ଫାଣ୍ତି ନାକତଳୁ ଯେଉଁ ପିକଅପ୍‌ ଭ୍ୟାନ୍‌ (ଓଆର୦୫ଏମ୍‌-୧୭୨୪) ଚୋରି ହୋଇଥିଲା, ତାହା ଆଜି ପାଗାରୁ ମିଳିଛି। ପାଗାର ଏକ ପେଟ୍ରୋଲ୍‌ ଟାଙ୍କି ନିକଟରେ ଗାଡ଼ି ରଖାଯାଇ ଜରିପାଲ ଘୋଡ଼ାଇ ଦିଆଯାଇଥିଲା। ମାତ୍ର ଆଜି ସ୍ଥାନୀୟ ଲୋକ ଗାଡ଼ି ଦେଖିବା ପରେ ଭିତରେ ଲେଖାଥିବା ମୋବାଇଲ୍‌ ନମ୍ବର ଜରିଆରେ ମାଲିକଙ୍କୁ ଜଣାଇଥିଲେ। ମାଲିକ ସେଠାକୁ ଯାଇ ଗାଡ଼ି ଆଣିଥିବା ସୂଚନା ମିଳିଛି। ଚୋରି କରି ଦୁର୍ବୃତ୍ତ ମାନେ ଗାଡ଼ିରେ ଗୋରୁ ବୋହୁଥିବା ଜଣାପଡ଼ିଛି। ଗତ ୮ତାରିଖ ବିଳମ୍ବିତ ରାତିରେ ଏହି ପିକଅପ୍‌ ଭ୍ୟାନ୍‌ ଫାଣ୍ତିରୁ ମାତ୍ର ୨୦ମିଟର‌୍‌ ଦୂରରୁ ଚୋରି ହୋଇଯାଇଥିଲା। ପଥରପଡ଼ା ଗ୍ରାମର ବ୍ୟବସାୟୀ ହେମନ୍ତ କୁମାର ସାହୁ ୯ତାରିଖରେ ଚାନ୍ଦୋଳ ଫାଣ୍ତିରେ ଏ ସ˚କ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିବା ପରେ ଜଣେ ପିକଅପ୍‌ ନେଇ ଯାଉଥିବା ଦୃଶ୍ୟ ସିସି କ୍ୟାମେରାରେ କଏଦ୍‌ ହୋଇଥିଲା। ହେଲେ ଫାଣ୍ତି ନାକତଳୁ ଗାଡ଼ି ଚୋରି ହେବା ଘଟଣା ପୁଲିସର ଦୁର୍ବଳ ପାଟ୍ରୋଲି˚ ବ୍ୟବସ୍ଥାକୁ ପଦାରେ ପକାଇ ଦେବା ସହିତ ପୁଲିସ ପ୍ରତି ଅପରାଧୀଙ୍କ ଯେ ଭୟ ନାହିଁ, ସାଧାରଣରେ ଏ ଧାରଣା ସୃଷ୍ଟି ହେଇଥିଲା। ମାତ୍ର ଆଜି ଗାଡ଼ି ମିଳିଯିବା ସହିତ ପୁଳିସର ମୁଣ୍ତବିନ୍ଧା କମିଛି। ତେବେ ଖାଲି ଏହି ପିକଅପ୍‌ ଭ୍ୟାନ୍‌ କେବଳ ନୁହେଁ, ସମାନ ଶୈଳୀରେ ଆଉ ଏକ ବୋଲେରୋ ଏହାର ତିନି ଦିନ ପୂର୍ବରୁ ଚୋରି ହୋଇଥିଲା।

ଗତ ମେ’ ୫ ତାରିଖ ଗୁରୁବାର ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା ଗୋପାଳପୁର ଫାଣ୍ତି ଅଧିନ ବନ୍ତଳାରୁ ପ୍ରମୋଦ କୁମାର ପ୍ରଧାନଙ୍କ ବୋଲେରୋ(ଓଆର‌୍‌୦୫-ଏଏସ୍‌-୦୯୮୮) ଚୋରି ହୋଇଥିଲା। ଜଣଙ୍କ ଘର ଆଗରେ ତାଙ୍କ ଗାଡ଼ିକୁ କେହି ନେଇ ଯାଇଥିଲେ। ଏ ସ˚କ୍ରାନ୍ତରେ ଭଦ୍ରେଶ୍ବର ଫାଣ୍ତିରେ ଅଭିଯୋଗ ହୋଇଥିଲା। କିନ୍ତୁ ଡ୍ରାଇଭର‌୍‌ ମହାସ˚ଘର ହସ୍ତକ୍ଷେପ ଯୋଗୁ ଚୋରି ହେବାର ମାତ୍ର ଦୁଇ ଦିନ ପରେ ୭ ତାରିଖରେ ଗାଡ଼ି ଜଗତପୁର ଥାନା ନିକଟ ଏକ ହୋଟେଲ୍‌ ପଛପଟେ ଥିବା କବାଡ଼ିଆରୁ ମିଳିଥିଲା। ବୋଲେରୋ ମଝି ଓ ପଛ ସିଟ୍‌ ନ ଥିଲା। ଭିତର ସାରା ଗୋବରରେ ଅପରିଷ୍କାର ହେଇଥିଲା। ଏଥିରୁ ସ୍ପଷ୍ଟ ହେଇଥିଲା ଯେ ଚୋରି ପରେ ବୋଲେରୋରେ ଗୋରୁ ବୁହାଯାଇଥିଲା। ସେହିପରି ପାଗା ଅ˚ଚଳରୁ ବି ନିକଟରେ ଆଉ ଏକ ପିକଅପ୍‌ ଭ୍ୟାନ୍‌ ଚୋରି ହୋଇଥିବା ଜଣାପଡ଼ିଛି। ଲକ୍ଷ୍ୟ କରିବାର କଥା ହେଉଛି, ମିଳିଥିବା ଦୁଇଟି ଯାକ ଗାଡ଼ିରେ ଗୋରୁ ବୁହା ହେଇଛନ୍ତି। ଏଥିରୁ ଅନୁମାନ କରାଯାଉଛିି ଯେ କେବଳ ଗୋରୁ ଚାଲାଣ ପାଇଁ ଗାଡ଼ି ଚୋରି ହେଉଥିବାରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌, ଯେଉଁମାନେ କି’ ଚାଲାଣକାରୀଙ୍କ ସହିତ ହାତ ମିଳାଇ ଏଭଳି କରୁଛନ୍ତି। ପେସାଦାର ଅପରାଧୀ ମାନେ ଗାଡ଼ି ଚୋରି କଲେ ସାଧାରଣତଃ ଦେଖାଯାଏ ଯେ ଅଧିକା˚ଶ ଗାଡ଼ି ଚୋରିର ଦିନେ ଦୁଇ ଦିନ ଭିତରେ କାଟି ସଫା କରିଦିଅନ୍ତି। କିନ୍ତୁ ଏଠି ବୋଲେରୋ ଚୋରି ହେବାର ଦୁଇ ଦିନ ପରେ ଏବ˚ ପିକଅପ୍‌ ଭ୍ୟାନ୍‌ ୧୪ଦିନ ପରେ ମିଳିବା ଘଟଣା ସୂଚାଇ ଦେଉଛି ଯେ ଚାଲାଣ ପାଇଁ ଆଉ ବଡ଼ ଗାଡ଼ି ପରିବର୍ତେ ଛୋଟି ଗାଡ଼ିକୁ ଚାଲାଣକାରୀ ମାନେ ଟାର୍ଗେଟ୍‌ କରୁଛନ୍ତି। ଗୋଟିଏ ଗାଡ଼ି ଚୋରି କରିନେବା ପରେ ଅଳ୍ପ କିଛି ଦିନ ସେଥିରେ ଗୋରୁ ବୋହିବା ପରେ ତାକୁ କୌଣସି ଜାଗାରେ ଛାଡ଼ି ଦେଇ ଅନ୍ୟ ଏକ ଗାଡ଼ି ଚୋରି କରୁଛନ୍ତି। ତେଣୁ ପୁଲିସ ଯଦି ରାତିରେ ହେଉଥିବା ଗୋରୁ ଚାଲାଣ ଗାଡ଼ି ସହିତ ଚାଲାଣକାରୀଙ୍କୁ ଧରିପାରନ୍ତା, ତେବେ ଏହି ଗାଡ଼ି ଚୋରି ଗ୍ୟାଙ୍ଗ୍‌ର ଫର୍ଦ୍ଦାଫାସ୍‌ ଖୁବ୍‌ଶୀଘ୍ର ହେଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର