ସମଲେଶ୍ବରୀ ମନ୍ଦିର ପାଇଁ ୨କୋଟି; ଯାତ୍ରୀ ନିବାସ, ଭୋଗ ମଣ୍ଡପର ହେବ ସମ୍ପ୍ରସାରଣ

ସମ୍ବଲପୁର, ୪।୧୧ (ଇମିସ): ୨ କୋଟି ଟଙ୍କାରେ ନିର୍ମାଣ ହେବ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଯାତ୍ରୀ ନିବାସ ଏବଂ ଭୋଗ ମଣ୍ଡପ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅର୍ଥ ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମଲେଶ୍ବରୀ ପୀଠର ସମ୍ପ୍ରସାରଣ ପାଇଁ ଟପୋଗ୍ରାଫିକାଲ ସର୍ଭେ ହେବ। ସେହି ଅନୁଯାୟୀ ଯାତ୍ରୀ ନିବାସରେ ୨ଟି ଡରମିଟୋରି ସହିତ ୫୦ କକ୍ଷରେ ୪୦ ଶଯ୍ୟା ଏବଂ ଭୋଗ ମଣ୍ଡପରେ ଏକାସହିତ ୫୦୦ ଜଣଙ୍କ ଖାଦ୍ୟ ବ୍ୟବସ୍ଥା କରାଯିବ। ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ସମ୍ବଲପୁର ସହରକୁ ୪ ଲକ୍ଷ ୬୩ ହଜାର ୫୫୭ ଜଣ ପର୍ଯ୍ୟଟକ ଆସିଥିଲେ। ଏଥିମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୯୮୧। ହୋଟେଲ ରହଣି ଆଧାରରେ ପର୍ଯ୍ୟଟନ ବିଭାଗ ଏହି ତଥ୍ୟ ପ୍ରସ୍ତୁତ କରିଛି। ନଚେତ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ଅଧିକ। ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି।

ସମ୍ବଲପୁର ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ବାହାର ରାଜ୍ୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଅନେକ ଭକ୍ତ ମାଙ୍କ ଦର୍ଶନ କରିବାକୁ ଆସନ୍ତି। ଅନେକ ଏଥିପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରନ୍ତି। ମହାଳୟା, ଦଶହରା, ନୂଆଁଖାଇରେ ଅନେକ ଶ୍ରଦ୍ଧାଳୁ, ବଡ଼ଦିନ ଏବଂ ଗ୍ରୀଷ୍ମ ଅବକାଶରେ ପର୍ଯ୍ୟଟକ ଭାବରେ ଲୋକଙ୍କ ସମାଗମ ହୋଇଥାଏ। ସେମାନଙ୍କ ରହିବା ପାଇଁ ବର୍ତ୍ତମାନ ଏଠାରେ ୧୬ଟି କକ୍ଷରେ ୩୬ ଶଯ୍ୟା ଏବଂ ଗୋଟିଏ ଡରମିଟୋରିରେ ୩୦ ଶଯ୍ୟା ରହିଛି। ଏଠାକୁ ଯେଉଁ ସଂଖ୍ୟାରେ ଲୋକଙ୍କ ସମାଗମ ହୁଏ, ସେହି ଅନୁଯାୟୀ ରହଣି ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏଥିଯୋଗୁଁ ବିଭିନ୍ନ ସମୟରେ ସ୍ଥାନାଭାବ ଲାଗିରହେ। ପର୍ଯ୍ୟଟକମାନେ ଏଠାରେ ରହିବାକୁ ଚାହିଁଲେ ମଧ୍ୟ ସମ୍ଭବ ହୁଏ ନାହିଁ। ତେଣୁ ମନ୍ଦିର ପ୍ରାଙ୍ଗଣରେ ୧୦ ହଜାର ବର୍ଗପୁଟର ଯାତ୍ରୀ ନିବାସ ପାଇଁ ଯୋଜନା ରହିଛି। ଏଥିରେ ୫୦ କକ୍ଷରେ ଶହେଟି ଶଯ୍ୟା, ୨ଟି ଡରିମିଟୋରିର ଯୋଜନା ରହିଛି। ଏହା କାର୍ଯ୍ୟକାରୀ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରହିଛି।

ବର୍ତ୍ତମାନ ମନ୍ଦିରରେ ଥିବା ଭୋଗ ମଣ୍ଡପରେ ଏକାସହିତ ୫୦ ଜଣଙ୍କ ପାଇଁ ଖାଇବା ବ୍ୟବସ୍ଥା ରହିଛି। ଏଥିଯୋଗୁଁ ଅନେକ ସମୟରେ ଖାଇବାକୁ ଆସି ଭକ୍ତମାନେ ନିରାଶ ହୁଅନ୍ତି। ଏପରିକି ମନ୍ଦିର ପ୍ରାଙ୍ଗଣରେ ବଡ଼ ଭୋଜି ଆୟୋଜନ ମଧ୍ୟ ସମ୍ଭବ ହୁଏ ନାହିଁ। ନୂଆ ବ୍ୟବସ୍ଥା ଅନୁଯାୟୀ, ଭୋଗ ମଣ୍ଡପରେ ଏକାସହିତ ୫୦୦ ଜଣ ଖାଇପାରିଲେ ସ୍ଥାନୀୟ ଅଧିବାସୀଙ୍କ ସହିତ ବାହାରୁ ଆସୁଥିବା ଲୋକଙ୍କ ପାଇଁ ସୁବିଧା ହେବ। ଏଥିପାଇଁ କିଛି ଦିନ ପୂର୍ବରୁ ପର୍ଯ୍ୟଟନ ବିଭାଗର ଏକ ଟିମ ମନ୍ଦିର ଯାଇ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ସମୁଦାୟ ମନ୍ଦିର ସମ୍ପ୍ରସାରଣ ପାଇଁ କିଛି ଦିନ ମଧ୍ୟରେ ଟପୋଗ୍ରାଫିକାଲ ସର୍ଭେ କରାଯାଉଥିବାରୁ ସେହି କାର୍ଯ୍ୟ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର