ଖୋର୍ଦ୍ଧା ବନାଂଚଳର ନୂଆ ସୀମା ନିର୍ଦ୍ଧାରଣ ହେବ

ଖୋର୍ଦ୍ଧା: ଖୋର୍ଦ୍ଧା ବନ ଡିଭିଜନର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ୨୦୨୦ରେ ଦିଆଯାଇଥିବା ପ୍ରସ୍ତାବ ଚୂଡ଼ାନ୍ତ ସ୍ଥିତିରେ ପହଂଚିଥିବା ଜଣାଯାଇଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଖୋର୍ଦ୍ଧା ବନ ଡିଭିଜନରେ ଜଙ୍ଗଲ ସୀମା ୫୭୭୩୫ ହେକ୍ଟରରୁ ହ୍ରାସ ପାଇ ୩୫୯୩୨ହେକ୍ଟରେ ପହଂଚିବ। ମିଳିଥିବା ସୂଚନାନୁସାରେ, ୨୦୨୦ ନଭେମ୍ବର ୧୦ ତାରିଖରେ ପ୍ରମୁଖ ସିସିଏଫ୍ ଓ ହେଡ୍ ଅଫ୍ ଫରେଷ୍ଟ ଫୋର୍ସ (ଏଚ୍ଓଏଫ୍ଏଫ୍) ଏନେଇ ଏକ ପ୍ରସ୍ତାବ ରାଜ୍ୟସରକାରଙ୍କ ଅନୁମୋଦନ ପାଇଁ ଦେଇଥିଲେ।

ଏହି ପ୍ରସ୍ତାବ ଅନୁସାରେ, ଖୋର୍ଦ୍ଧା ବନ ଡିଭିଜନ୍ ସମେତ ୧୩ଟି ଡିଭିଜନର ସୀମା ପୁନଃନିର୍ଦ୍ଧାରଣ ହେବ। କୌଣସି ବନଖଣ୍ଡର ସୀମା ୨ରୁ ଅଧିକ ଜିଲ୍ଲାରେ ପରିବ୍ୟାପ୍ତ ଥିଲେ ତାକୁ ସର୍ବାଧିକ ୨ଟି ଜିଲ୍ଲାରେ ସୀମିତ କରାଯିବ। ବର୍ତମାନ ଖୋର୍ଦ୍ଧା ବନଖଣ୍ଡ କଟକର ବାଙ୍କୀ, ନୟାଗଡ଼ର ରଣପୁର, ପୁରୀର ଡେଲାଙ୍ଗ ଓ ବାଲିଅନ୍ତା ସମେତ ଖୋର୍ଦ୍ଧା ଅଂଚଳରେ ରହିଛି। ଏଥିରେ ମୋଟ ୫୭୭୩୫.୮୩ ହେକ୍ଟର ଜଙ୍ଗଲ ଇଲାକା ରହିଛି। ଏହାର ପରିଚାଳନା, ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ୪ଟି ରେଂଜ୍, ୨୪ଟି ସେକ୍ସନ, ୯୫ଟି ବିଟ୍ ରହିଛି। ମୋଟ ଜଙ୍ଗଲ ଇଲାକାରେ ୨୨ଟି ସଂରକ୍ଷିତ ଜଙ୍ଗଲ ଅଂଚଳ ରହିଛି। ୨୨ଟି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ୫୨୭.୨୮ ହେକ୍ଟରର ୫ଟି ରିଜର୍ଭଡ୍ ପ୍ରଟେକ୍ଟଡ୍ ଫରେଷ୍ଟ, ୨୨ଟି ଡିମାରକେଟଡ୍ ପ୍ରଟେକ୍ଟଡ୍ ଫରେଷ୍ଟ, ୧୪୨ଟି ଗ୍ରାମ୍ୟ ଜଙ୍ଗଲ (ଭିଏଫ୍) ରହିଛି। ପ୍ରସ୍ତାବ ଅନୁସାରେ, ରଣପୁର ରେଂଜରେ ଥିବା ୨୩ଟି ବିଟ୍ ଓ ଟାଙ୍ଗୀ ରେଂଜ୍ରେ ଥିବା ୬ଟି ବିଟ୍ ନୟାଗଡ଼ ବନଖଣ୍ଡରେ ସାମିଲ ହେବ।

ସେହିଭଳି ବାଲିପାଟଣାର ୨ଟି ବିଟ୍ ଏବଂ ଡେଲାଙ୍ଗରେ ଥିବା ୪ଟି ବିଟ୍ ପୁରୀ ବନଖଣ୍ଡରେ ସାମିଲ ହେବ। ଖୋର୍ଦ୍ଧା ବନଖଣ୍ଡରେ ଥିବା ବାଙ୍କୀ ଅଂଚଳର ୬ଟି ବିଟ୍ କଟକ ବନଖଣ୍ଡକୁ ହସ୍ତାନ୍ତର କରାଯିବ। ଏହା ସହ ବାଲିପାଟଣାର ୨ଟି ବିଟ୍ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନରେ ସଂଯୋଗ କରାଯିବ। ଏହାଫଳରେ ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ମୋଟ ଜଙ୍ଗଲ ଇଲାକା ୩୫୫୨.୨୮ ବର୍ଗ କିମିରୁ ହ୍ରାସ ପାଇ ୧୭୭୩.୨୯ ବର୍ଗ କମି ହେବ। ଏବଂ ୨୨ଟି ସଂରକ୍ଷିତ ଜଙ୍ଗଲ ବଦଳରେ ୧୩ଟି, ୨୯ଟି ଡିମାରକେଟେଡ୍ ରିଜର୍ଭ ଫରେଷ୍ଟ ବଦଳରେ ୨୮ଟି ଡିପିଏଫ୍ ରହିବ। ତେବେ ୧୪୨ଟି ଗ୍ରାମ୍ୟ ଜଙ୍ଗଲର ସଂଖ୍ୟାରେ କୌଣସି ପରିବର୍ତନ ହେବନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ସୀମାପୁନଃ ନିର୍ଦ୍ଧାରଣ ଦ୍ୱାରା ନୂଆ ପଦବୀ କିମ୍ବା କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏଭଳି ସୀମା ପୁନଃ ନିର୍ଦ୍ଧାରଣକୁ ଗୋଟିଏ ମହଲରେ ବିରୋଧ କରାଯାଇଥିବା ବେଳେ ଅନ୍ୟ ଏକ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ବିରୋଧୀଙ୍କ ଆଶଙ୍କା ହେଲା, ଏହାଦ୍ୱାରା ଖୋର୍ଦ୍ଧା ଜଙ୍ଗଲର ସୀମା ହ୍ରାସ ପାଇବ। ଡେଲାଙ୍ଗ, ରଣପୁର ଟାଙ୍ଗୀ ଆଦି ଅଂଚଳରେ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣ, କ୍ଷତିପୂରଣ ଆଦି ବାବଦରେ ଲୋକମାନେ ଖୋର୍ଦ୍ଧାକୁ ଆସିବାରେ ସହଜ ହେଉଥିଲା ନୂତନ ସୀମା ନିର୍ଦ୍ଧାରଣ ପରେ ସେମାନେ ସୁଦୂର ନୟାଗଡ଼, ପୁରୀ ଯିବାକୁ ପଡ଼ିବ।

ସମ୍ବନ୍ଧିତ ଖବର