ଦଶହରା ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ପ୍ରବେଶ ଉପରେ ଲାଗିବ କଟକଣା

ଖୋର୍ଦ୍ଧା: ସରକାରଙ୍କ ନିର୍ଦ୍ଦେଶ ଆସିଛି । ଦଶହରା ଛୁଟି ଅଛି, ଦଶହରା ପରେ ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ସାଧାରଣ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସୂଚନାନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ମେଡିକାଲ୍ କଲେଜ ହସପିଟାଲରେ ଓଡ଼ିଶା ସ୍ୱାସ୍ଥ୍ୟ ସେବୀ ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ହିଂସା ଓ ସମ୍ପତ୍ତି ନଷ୍ଟ ନିରୋଧ ଆଇନ, ୨୦୦୮କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶାନୁସାରେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା କରାଯିବ । ତେବେ କିଭଳି ଓ କେତେ ସମୟ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କୌଣସି ଯୋଜନା କରିନାହିଁ । ଏନେଇ ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଡା ନାୟକ କହିଛନ୍ତି ଯେ ନିର୍ଦ୍ଦେଶ ତିନି-ଚାରିଦିନ ପୂର୍ବେ ଆସିଛି ।

ଏହା ଏକ ଉତ୍ତମ ପଦକ୍ଷେପ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସମୟ ଲାଗିବ । ସରକାରଙ୍କ ନିର୍ଦ୍ଦେଶାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଚିକିତ୍ସାଳୟ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ ନିଜର ପରିଚୟପତ୍ର ରଖିବା ବାଧ୍ୟତାମୂଳକ ଅଟେ । ଚିକିତ୍ସାଳୟ ମଧ୍ୟରେ ସର୍ବସାଧାରଣ ଓ ଆମ୍ବୁଲାନ୍ସ ଆଦି ବ୍ୟତୀତ ଅନ୍ୟ ଯାନବାହାନ ପ୍ରବେଶ ଉପରେ କଟକଣା ଆଦି ଲଗାଯିବାକୁ ବ୍ୟବସ୍ଥା କରାଯିବ । ସର୍ବସାଧାରଣ ପ୍ରବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଅନ୍ତଃ ବିଭାଗରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ କେବଳ ୨ଟି ପାସ୍ ଦିଆଯିବ । ରୋଗୀଙ୍କୁ ଦେଖା କରିବା ସମୟ ଧାର୍ଯ୍ୟ କରାଯିବ । ଏହି ସମୟ ବ୍ୟତୀତ ଅନ୍ୟ ସମୟରେ କେହି ତାଙ୍କୁ ସାକ୍ଷାତ କରିପାରିବେ ନାହିଁ ।

ଚିକିତ୍ସାଳୟର ବହିଃ ଓ ଆଶୁ ଚିକିତ୍ସା ବିଭାଗ ନିକଟରେ ସିସିଟିଭି ଓ ନିୟମିତ ସୁରକ୍ଷାକର୍ମଚାରୀ ମୁତୟନ ରହିବେ । ଚିକିତ୍ସାଳୟର ଏକ ଟିମ୍ ନିୟମିତ ଭାବେ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବେ । ଚିକିତ୍ସାଳୟରେ ଯଦି କୌଣସି ଅପ୍ରୀତିକର କିମ୍ବା କୌଣସି ଅସାମାଜିକ କାର୍ଯ୍ୟକଳାପ ଘଟଣା ଘଟିଲେ ପୁଲିସ ତୁରନ୍ତ “ଶୂନ୍ୟ ସହନଶୀଳ” ହୋଇ ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର