ରାଉରକେଲା: ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତଦୁଇ) ଉପସ୍ଥାନରେ ପାରଦର୍ଶିତା ଆଣିବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ତେବେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥାନ ରେକର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଣୁ ଏଣିକି ପ୍ରତିଦିନ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନ ସମ୍ବଳିତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ନିକଟରେ ଦାଖଲ ହେବ। ଷ୍ଟୁଡେଣ୍ଟ୍‌ ଏକାଡେମିକ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌(ସାମ୍‌ସ) ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଅପରାହ୍ନ ୪ଟା ଭିତରେ ସବିଶେଷ ତଥ୍ୟ ଦାଖଲ କରିବା ବାଧ୍ୟତାମୂଳକ। କଲେଜ ପକ୍ଷରୁ ବିଭିନ୍ନ ବିଭାଗ, ଯଥା କଳା, ବିଜ୍ଞାନ ଓ ବାଣିଜ୍ୟରେ ନିର୍ଦ୍ଦିଷ୍ଟ କେତେଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, କେଉଁ ଅଧ୍ୟାପକ/ଅଧ୍ୟାପିକା ଶିକ୍ଷାଦାନ କରିଥିଲେ, ତାହା ପୃଥକ ଭାବେ ଉଲ୍ଲେଖ କରିବା ଜରୁରୀ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଗତ ଶୁକ୍ରବାର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଲ୍ଲଂଘନ ହେଲେ ଗୁରୁତର ସହ ବିଚାରକୁ ନିଆଯିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି।

Advertisment

ରାଜ୍ୟରେ ୨୨୦୭ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଥିବାବେଳେ ୫,୪୫,୪୫୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ଥିବାବେଳେ ପ୍ରାୟ ସମୟରେ ଏହି ମାନଦଣ୍ଡ ପୂରଣ କରୁନଥିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥାଏ। କରୋନା ସମୟରୁ ତ’ ​ଏହା ସଂପୂର୍ଣ୍ଣ କୋହଳ ହୋଇ ଯାଇଥିଲା। କିନ୍ତୁ ଏଥର ଆଉ ସମ୍ଭବ ହେବନାହିଁ। ୭୫% ଉପସ୍ଥାନ ନଥିବା ଛାତ୍ରଛାତ୍ରୀ ଏଣିକି ସ୍ବତଃସ୍ଫୁର୍ତ୍ତଭାବେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ସେହିଭଳି ଅଧ୍ୟାପକ/ଅଧ୍ୟାପିକାଙ୍କୁ ଅଧିକ କର୍ମନିଷ୍ଠ ହେବାରେ ଏହି ପଦକ୍ଷେପ ବହୁମାତ୍ରାରେ ସହାୟକ ହେବ ବୋଲି ଶିକ୍ଷାବିତ୍‌ ମତବ୍ୟକ୍ତ କରିଛନ୍ତି। ତେବେ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲର ସାଂପ୍ରତିକ ଦୁର୍ବଳ ଭିତ୍ତିଭୂମି, ମାନବସମ୍ବଳ, ଏହି ନିର୍ଦ୍ଦେଶନାମାର ଶତପ୍ରତିଶତ ପାଳନ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଦାହରଣ ସ୍ବରୂପ, ବର୍ତ୍ତମାନ ପ୍ରତ୍ୟେକ ସଂଯୁକ୍ତ ମହାବିଦ୍ୟାଳୟ (ଯୁକ୍ତ ଦୁଇ ଓ ତିନି)ରେ କେବଳ ଜଣେ ଡାଟାଏଣ୍ଟ୍ରି ଅପରେଟର (ଡିଇଓ) ଅଛନ୍ତି। ଡିଇଓ ହିଁ ଯୁକ୍ତଦୁଇ ଓ ଯୁକ୍ତତିନିର ନାମଲେଖା ସମେତ ଅନ୍ୟାନ୍ୟ ରେକର୍ଡ ରକ୍ଷଣ କାମ କରନ୍ତି। ବାସ୍ତବରେ ଡିଇଓ ଯୁକ୍ତ ତିନି କଲେଜ ପାଇଁ ନିଯୁକ୍ତ ହୋଇଥିବାବେଳେ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ କୌଣସି ଡିଇଓ ନାହାନ୍ତି। ଏହାସହ ରାଜ୍ୟରେ ଥିବା ଶତାଧିକ ସଂଯୁକ୍ତ ମହାବିଦ୍ୟାଳୟର ଯୁକ୍ତଦୁଇ ଓ ଯୁକ୍ତତିନି ପରିଚାଳନାରେ ଦ୍ବନ୍ଦ୍ବ ଦେଖିବାକୁ ମିଳୁଛି। ପ୍ରାଥମିକତାର ସହ ଏହି ଦ୍ବନ୍ଦ୍ବଗୁଡ଼ିକୁ ଦୂର କରିବାପରେ ଏହି ନିୟମ ପ୍ରଣୟନ ହେଲେ, ସମ୍ଭବତଃ ସମସ୍ତ ପ୍ରକ୍ରିୟା ଆହୁରି ସରଳ ଓ ଫଳପ୍ରଦ ହେବ ବୋଲି ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି।