ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପରିସରରେ ଥିବା ଏସିଆର ସର୍ବବୃହତ୍ ମୁକ୍ତାକାଶ ସ୍କ୍ରାପ୍ ମ୍ୟୁଜିୟମ୍ରେ ପୁଣି ଯୋଡ଼ି ହୋଇଛି ଆଉ ଏକ ବୃହତ୍ ଆକୃତିର ସ୍କ୍ରାପ୍। ଉକ୍ତ ତାଲିମ୍ ଅନୁଷ୍ଠାନ ପକ୍ଷରୁ ପେଡିଏଟର୍ର ୨୮ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ପ୍ରତିକୃତି ସ୍ଥାପନ କରାଯାଇଛି, ଯାହାର ଓଜନ୍ ପ୍ରାୟ ତିନି ଟନ୍ ଥିବା ସୂଚନା ମିଳିଛି। ଅବ୍ୟବହୃତ ଲୁହାରଡ଼୍ରେ ଏହାର ଛାଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଚୂଡ଼ାନ୍ତ ରୂପ ଦେବାପାଇଁ ଜିଆଇ ସିଟ୍, ଚେନ୍, କ୍ରାଙ୍କ୍ ବ୍ୟବହୃତ ହୋଇ ପେଣ୍ଟିଂ କରାଯାଇଛି। ଅଧିକ ଆକର୍ଷକ କରିବା ପାଇଁ ରଙ୍ଗବେରଙ୍ଗର ଆଲୋକରେ ସଜାହୋଇଛି।
ଏହାକୁ ପ୍ରସ୍ତୁତ କରିବାରେ ଆଇଟିଆଇର ଫିଟର୍, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ପେଣ୍ଟର୍ ଟ୍ରେଡ଼୍ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ। ଆଜି ସନ୍ଧ୍ୟାରେ ଏହାର ଉନ୍ମୋଚନ କରାଯାଇଛି।
ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।