ଜୟପୁର: ନୂତନ ମୋଟରଯାନ ଆଇନକୁ ଖାତିର ନାହିଁ

ଜୟପୁର: ସଡକ ଦୁର୍ଘଟଣା ଜନିତ ମୃତ୍ୟୁ, ଗୁରୁତର ଆହତ ସଂଖ୍ୟା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନକୁ ଲଗାତାର ଭାବେ ଗତ ୨ ବର୍ଷ ହେବ ସଂଶୋଧନ କରି ଆସୁଛନ୍ତି। ସଂଶୋଧିତ ନିୟମକୁ ବି କଡ଼ାକଡ଼ି କରାଯିବା ସହ ଜରିମାନା ବି ଦୁଇଗୁଣ କରାଯାଇଛି। ଲାଇସେନସ୍, ସିଟ୍ ବେଲଟ, ହେଲମଟ, ବୀମା, ଫିଟନେସ୍, ପଲ୍ୟୁସନ୍ ଓ ନିଶା ସେବନ ଆଦିର ଯାଂଚ କରି କିଛି ବି ଭୁଲ ଭଟକା ରହିଥିଲେ ଜରିମାନା ଆଦାୟ କରାଯାଉଛି।

କୋରାପୁଟ ଜିଲ୍ଲାରେ ବୁଲୁଥିବା ଅଧିକାଂଶ ସରକାରୀ ଓ ଘରୋଇ ବସଗୁଡ଼ିକ ମଧ୍ୟରୁ ଅଧିକାଂଶ ବସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସିଟ୍ ବେଲଟ୍, ବୀମା, ଫିଟନେସ, ପଲ୍ୟୁସନ୍ କଥା ଯଦି ଆଲୋଚନା କରିବା ତେବେ ବହୁ ବସରେ ଏସବୁ କାଗଜପତ୍ର ଅଛି କି ନାହିଁ ତାହା ସଂଦେହରେ। ବହୁ ବସର ବୟସ ୧୫ରୁ ୨୦ବର୍ଷ ମଧ୍ୟରେ। ବହୁ ବସର କାଚ ଠାରୁ ଆରମ୍ଭ ବସରେ ଲାଗିଥିବା ଲୁହା ଓ ଆଲୁମନିୟମ୍ ଚଦର ସବୁ ହଲିବାକୁ ଲାଗିଲାଣି। ଅଧିକାଂଶ ବସର ଚାଳକଙ୍କର ସିଟ୍ ଅବସ୍ଥା ନ କହିବା ଭଲ। ଡ୍ରାଇଭରଙ୍କ ସିଟ୍‌ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏଭଳି ଭଙ୍ଗା ସିଟରେ ବସି ୩୦ରୁ ୫୦ଜଣ ଯାତ୍ରୀଙ୍କ ଜୀବନକୁ ନେଇ ଚାଳକ ବସ ଚଳାଉଛନ୍ତି। ସିଟ୍ ବେଲଟ୍ ପୂର୍ବରୁ ନଥିବା ବେଳେ ପୂର୍ବରୁ ଆଇନ କଡ଼ା କଡ଼ି ନଥିବାରୁ ଅଧିକାଂଶ ଚାଳକ ଏହାକୁ ବାହାର କରି ପିଙ୍ଗି ଦେଇଛନ୍ତି।

Sambad

ତେବେ ଏହି ଆଇନ୍ ଲାଗୁ ହେବା ପରେ ପୁଲିସ ଓ ଆଂଚଳିକ ପରିବହନ ବିଭାଗକୁ ଭୁଆଁ ବୁଲାଇବା ପାଇଁ ହିଁ ପିଙ୍ଗି ଦେଇଥିବା ସିଟ୍ ବେଲଟକୁ ଆଣି ଯେନତେନ୍ ପ୍ରକାରର ଆଡଜେଷ୍ଟମଣ୍ଟେ କରି ଚାଳକ ମାନେ ପିନ୍ଧୁଛନ୍ତି। ତାହା ପୁଣି ସହର ମଧ୍ୟକୁ ପ୍ରବେଶ କରିବା ସମୟରେ କିମ୍ବା ଥାନା , ପାଣ୍ଡି ଆଦିକୁ ଅତିକ୍ରମ କରି ଯିବା ସମୟରେ କିମ୍ବା କେଉଁ ଠାରେ ଯାଂଚ ହେଉଥିବା ସୂଚନା ମିଳିଲେ। ଅଧିକାଂଶ ସମୟ ଚାଳକ ମାନେ ପିନ୍ଧୁ ହିଁ ନାହାଁନ୍ତି। ଏହାର ମୂଳ ଓ ଶେଷ ଭାଗରେ ପ୍ରକୃତରେ ଯେଭଳି ବୋତାମ ଆଦି ଅନୁସଙ୍ଗିକ ବ୍ୟବସ୍ଥା ରହିବା କଥା ସେଭଳି ଶତପ୍ରତିଶତ ବସରେ ରହିଥିବା ଦେଖିବାକୁ ମିଳୁନି। ପୁଲିସ ଓ ଆଂଚଳିକ ପରିବହନ ବିଭାଗ ଆଖିରୁ ଖସିବା ପାଇଁ କେବଳ ଏହାକୁ ଲଗାଯାଉଛି ବୋଲି ଘରୋଇ ବସ ଚାଳକ ରବିନ୍ଦ୍ର ନାଗ, ସୁବାସ ଜାନୀ, ରମେଶ ଦଳାଇ କହିଛନ୍ତି।

ସେହିଭଳି ବସ ଗୁଡ଼ିକରେ ସିସିଟିଭି ଲାଗିବା କଥା। ତେବେ କାଁଭାଁ କିଛି ନୂଆ ବସକୁ ବାଦ ଦେଲେ ପୁରୁଣା ବସରେ ଏହା ଦେଖିବାକୁ ମିଳୁନି। ଏହା କେବଳ ଘରୋଇ ବସ ହିଁ ନୁହେଁ ଓଏସ୍ଆ‌ରଟିସିର ବସ ଗୁଡିକରେ ବି ଚାଳକ ମାନେ ସିଟ୍ ବେଲଟ୍ ବାନ୍ଧୁ ନଥିବା ଦେଖିବାକୁ ମିଳିଛି। ବହୁ ବସର ବୀମା, ଫିଟନେସ୍, ପଲ୍ୟୁସନ, ପରମିଟ ନଥାଇ ବି ଚାଳୁଛି, ଏହାର ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘର ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ।

ସମ୍ବନ୍ଧିତ ଖବର