ଭଞ୍ଜନଗର: ନାଚଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇ˚ରାଜୀ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। ନୂଆବର୍ଷର ପ୍ରଥମ ଦିନକୁ ନିଆରା ଭାବେ ପାଳନ କରିବାର ମଉକାକୁ ହାତଛଡା କରି ନାହାନ୍ତି ଲୋମାନେ। ଗତକାଲି ବିଳମ୍ବିତ ରାତିରେ କେକ୍ କାଟିବା ସହ ବାଣ ଫୁଟାଇ ଜିରୋ ନାଇଟ ପାଳନ କରିଛନ୍ତି। ଏଥିସହ ଡିଜେ ଲଗାଇ ନାଚଗୀତ ମାଧ୍ୟମରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି। ପୁରଣା ବର୍ଷକୁ ଭୁଲି ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ନୂଆ ଉତ୍ସାହ ଉଦ୍ଦିପନା ଭରି ଦେଉ ବୋଲି କାମନା ମଧ୍ୟ କରିଛନ୍ତି।
ପୁରୁଣାକୁ ବିଦାୟ ଦେଇ ନୂଆକୁ ସ୍ବାଗତ କରିବା ପାଇଁ ଗତ ମଧ୍ୟ ରାତିରେ ମସ୍ତିରେ ଝୁମିଥିଲା ସହର। କେଉଁଠି ରାତି ଅଧିଆ ପାର୍ଟି ତ ଆଉ କେଉଁଠି ବନ୍ଧୁମିଳନ। ଯୁବଗୋଷ୍ଠୀଙ୍କ ଭିତରେ ଭୋଜି ଭାତର ଆସର ସାଙ୍ଗକୁ ନାଚଗୀତର ଧୁମ୍ ବି ଚାଲିଥିଲା। ରାତିସାରା ମତୁଆଲ ହୋଇଥିବା ସହର ଆଜି ସକାଳୁ ମନ୍ଦିର ମନସ୍କ ହୋଇ ଯାଇଥିଲା। ଲୋକମାନେ ଦେବ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ପସନ୍ଦ କରିଥିଲେ। ସେଥିପାଇଁ ଆଜି ସକାଳୁ ସବୁ ମନ୍ଦିରରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପରିବାର ସହ ଲୋକେ ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ଶୁଭ ମନାସି ଥିଲେ। ଦେବ ଦର୍ଶନ ପରେ ଥିଲା ଶୁଭେଛା ଓ ଅଭିନନ୍ଦନ ଆଦାନ ପ୍ରଦାନର ପର୍ବ। କିଏ ଫୁଲ ଓ ଆଉ କିଏ ଫୁଲତୋଡ଼ା ଦେଇ ଶୁଭେଛା ଜଣାଇଥିଲେ। ଏହାପରେ କିଛି ଲୋକ ଭୋଜିଭାତ ଓ ବନ୍ଧୁମିଳନରେ ସମୟ କାଟିଥିଲେ ତେଣୁ ବିଭିନ୍ନ ପିକନିକ୍ ସ୍ପଟରେ ମଧ୍ୟ ଗହଳି ଦେଖିବାକୁ ମିଳିଥିଲା।