ଖୋର୍ଦ୍ଧା: ଖୋର୍ଦ୍ଧା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଗୀତା ଭବନ ଠାରେ ଆଜି ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଐତିହାସିକ ନାରାୟଣ ରାଓ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପଦ୍ମ ସମ୍ମାନରେ ସମ୍ମାନିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ଅତିଥି ଭାବେ ଡଃ. ପ୍ରମୋଦ ଚନ୍ଦ୍ର ଦାଶ ଓ ବକ୍ତା ଭାବେ ବୈଷ୍ଣବ ଚରଣ ସାମଲ ଯୋଗ ଦେଇଥିଲେ। ସାହିତ୍ୟ ସମାଜର ସଭାପତି ତଥା ଲେଖକ ଡଃ. ସୁରେଶ ଛୋଟରାୟ ସଭାର ସଭାପତିତ୍ୱ କରିଥିଲେ। ଜଣେ ସାହିତ୍ୟିକ ଭାବେ ସ୍ୱାଧୀନଚେତା ହେବା ସହ ମା’, ମାଟି ଓ ମାତୃଭାଷାର ଉନ୍ନତି ଓ ବିକାଶ ପାଇଁ ସର୍ବଦା ଚେଷ୍ଟିତ ହେବା ଉଚିତ। ହୀନମନ୍ୟତା ଛାଡ଼ି ଭାବ, ଭାବନା, କଳ୍ପନା ଓ ଅନୁଭବକୁ ପାଥେୟ କରି ସାହିତ୍ୟ ରଚନା କରିବାକୁ ଅତିଥି ଓ ବକ୍ତା ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ। ସାହିତ୍ୟ ସମାଜର ସମ୍ପାଦକ ଜ୍ଞାନ ରଂଜନ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବି ଗୋବିନ୍ଦ ଚନ୍ଦ୍ର ମହାରଣା ଅତିଥି ପରିଚୟ ଦେଇଥିଲେ।

Advertisment

ଏହି ଅବସରରେ ବୈଷ୍ଣବ ଚରଣ ସାମଲଙ୍କୁ ଖୋର୍ଦ୍ଧା ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। କବି ଶ୍ରୀ ମହାରଣାଙ୍କ ଅଧ୍ୟକ୍ଷତାରେ ଜବହାର ସୁବୁଦ୍ଧି, ସୌଦାମିନୀ ବେହେରା ଓ ବିଶ୍ୱମିତ୍ର ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ମିଶ୍ର ମୈତ୍ରେୟ, ସମରଜିତ ପଟ୍ଟନାୟକ, ଅଖିଳେଶ ମହାପାତ୍ର, ଅଜୟ କୁମାର ସେଠୀ, କମଳିନୀ ମଲ୍ଲିକ, ସୁକାନ୍ତି ମହାପାତ୍ର, ବିଳାସିନୀ ଦାଶ, ଜ୍ୟୋତ୍ସ୍ନାରାଣୀ ମହାରଣା ପ୍ରମୁଖଙ୍କ ସମେତ ଅନେକ କବି, ଲେଖକ, ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ। କବିତା ପାଠ କାର୍ଯ୍ୟକ୍ରମ ପୂର୍ବରୁ ଦିବଂଗତ ସାହିତ୍ୟିକ ବଂଶିଧର ରାଉତ ଓ ତପନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା। ସାହିତ୍ୟ ସମାଜର ଉପସଭାପତି ଡଃ. ପ୍ରଫୁଲ୍ଲ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସମାଜସେବୀ ସଂଜୟ ପଟ୍ଟନାୟକ, ତ୍ରିଲୋଚନ ଦାସ, ନିଶିକାନ୍ତ କହଲସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।