ପୁରୀ: ଆଉ ମାତ୍ର ସ୍ୱଳ୍ପ କେଇ ଘଣ୍ଟା ପରେ ଆମ ଗହଣରୁ ବିଦାୟ ନେବ ୨୦୧୯। ପରେ ପରେ ଇଂରାଜୀ ନବବର୍ଷ ୨୦୨୦ର ସ୍ୱାଗତ ପର୍ବ। ଏହି ଅବସରରେ ନବବର୍ଷର ସ୍ୱାଗତ ପାଇଁ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯିବା ସହ ନବନିର୍ମିତ ସେଡକୁ ଫୁଲରେ ଅପୂର୍ବ ଭାବେ ସଜାଯାଇଛି। ଏପରିକି ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ତେବେ ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିବା ପୂର୍ବରୁ ସେମାନେ ସେମାନଙ୍କର ଯାନବାହନ କେଉଁଠି ରଖିବେ ସେ ନେଇ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ଗାଇଡ଼ଲାଇନ୍‌ ଜାରି କରିଛି।

Advertisment

publive-image

ନୂଆବର୍ଷ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ଟ୍ରାଫିକ୍‌ ଆଡଭାଇଜରି ଜାରି କରାଯାଇଛି। ଭୁବନେଶ୍ୱର ଓ କୋଣାର୍କ ପାର୍ଶ୍ୱରୁ ଆସୁଥିବା ଯାତ୍ରୀ ବସ୍‌ଗୁଡ଼ିକ ମୁନିସିପାଲିଟି ବସ୍‌ଷ୍ଟାଣ୍ଡରେ ରହିବ। ସେହିଭଳି ବ୍ରହ୍ମଗିରି ପଟରୁ ଆସୁଥିବା ବସ୍‌ଗୁଡ଼ିକ ଜଟିଆ ବାବାଜୀ ଛକରେ ରହିବ। ଏହି ବସ୍‌ଗୁଡ଼ିକ ଯେଉଁ ରାସ୍ତା ଦେଇ ପ୍ରବେଶ କରିଥିବ, ସେହି ସମାନ ରାସ୍ତା ଦେଇ ପ୍ରସ୍ଥାନ ମଧ୍ୟ କରିବ।

୩୧୬ ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ଓ କୋଣାର୍କ ପାର୍ଶ୍ୱରୁ ଆସୁଥିବା ଅନ୍ତଃରାଜ୍ୟ ଓ ପର୍ଯ୍ୟଟନ ବସ୍‌ଗୁଡ଼ିକ ମାଳତିପାଟପୁର ବସ୍‌ ଟର୍ମିନାଲରେ ଅଟକିବ। ଯେଉଁମାନେ ପୁରୀ ଯିବାକୁ ଚାହୁଁଥିବେ, ସେମାନେ ସେଠାରୁ ଅଟୋ କିମ୍ବା ମିନି ବସ୍‌ରେ ପୁରୀ ସହର ମଧ୍ୟକୁ ଯାଇପାରିବେ। ସେହିଭଳି ସାତପଡ଼ା ଯାଉଥିବା ଲୋକେ ବଟଗାଁ ଠାରୁ ବାଇପାସ୍‌ ଦେଇ ମଙ୍ଗଳାଘାଟ ରୋଡରେ ଯାଇପାରିବେ।

publive-image

୩୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଭାରି ଯାନ ଓ ମଧ୍ୟମ ଭାରି ଯାନ ଯଥା ଟ୍ରକ ଓ ଟ୍ରାକ୍ଟର ଆଦିକୁ ପୁରୀ ସହର ମଧ୍ୟକୁ ଜାନୁଆରି ୧ରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଭୁବନେଶ୍ୱର ପାର୍ଶ୍ୱରୁ ପୁରୀ ଆସୁଥିବା ୪ ଚକିଆ ଗାଡ଼ି ଜଗନ୍ନାଥ ବଲ୍ଲଭ ଓ ପୁରୁଣା ଜେଲ ପାର୍କିଂରେ ଅଟକିବ। ଏହି ପାର୍କିଂସ୍ଥଳ ଯେତେବେଳେ ପୂର୍ଣ୍ଣ ହୋଇଯିବ, ସେହି ସମୟରେ ଗାଡ଼ିଗୁଡ଼ିକ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ରଖାଯାଇପାରିବ।

ଉପରୋକ୍ତ ପାର୍କିଂସ୍ଥଳଗୁଡ଼ିକ ପୂର୍ଣ୍ଣ ହୋଇଯିବା ପରେ ଗାଡ଼ିଗୁଡ଼ିକୁ ମାଲତିପାଟପୁର ଠାରୁ ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମ ପାର୍କିଂସ୍ଥଳକୁ ଯିବା ପାଇଁ କୁହାଯିବ। କୋଣାର୍କ ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଏହି ପାର୍କିଂସ୍ଥଳଗୁଡ଼ିକରେ ରହିପାରିବ। ମାର୍କେଟ ଛକ, ମୋଚିସାହି ଓ ନୀଳାଚଳ ଅଶୋକାଠାରେ ଦୁଇ ଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଇ ପାରିବ।

ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆବର୍ଷ ଦିନ ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍‌ ଫୋର୍ସ ପୁରୀ ସହରରେ ମୁତୟନ କରାଯିବ। କାରଣ ଏହି ଦିନ ପ୍ରାୟ ଲକ୍ଷାଧିକ ଭକ୍ତଙ୍କର ପୁରୀ ସହରରେ ସମାଗମ ଘଟିବାର ଆକଳନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ରାତି ୨ଟାରୁ ଭିଡ଼ ଆରମ୍ଭ ହୋଇଯିବ ଏବଂ ଏହି ଭିଡ଼ ଦିନ ତମାମ ପର୍ଯ୍ୟନ୍ତ ଅବ୍ୟାହତ ରହିବ।