କୋରାପୁଟ ମେଡିକାଲ କଲେଜରୁ ନବଜାତ ଶିଶୁ ନିଖୋଜ ଅଭିଯୋଗ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ନେଇ ଆଜି କୋରାପୁଟ ଟାଉନ ଥାନାରେ ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ମେଡିକାଲ କ‌ଲେଜ ପରିସରରେ ଏପରି କାଣ୍ଡ ଘଟିଥିବାରୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିଲକଗୁଡା ଗ୍ରାମର ତୁଳସୀନା ଗୌଡ଼ ଓ ତାଙ୍କ ପରିବାର। ପୁଲିସ ଅଭିଯୋଗକୁ ଭତ୍ତି କରି ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର(୯.୨.୨୦୨୧)ରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିଲକଗୁଡା ଗ୍ରାମର ତୁଳସୀନା ଗୌଡ଼ ନାମ୍ନୀ ଜନୈକ ମହିଳା ନିଜ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ପ୍ରଥମେ ପାପଡାହାଣ୍ଡି ମେଡ଼ିକାଲ ଓ ପରେ ସେଠାରୁ ପରିବାର ଲୋକେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ହସ୍ପିଟାଲରେ ପହଂଚିଲାବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।

ପରିବାରବର୍ଗ ତୁଳସୀନାଙ୍କ ମର ଶରୀରକୁ ଗାଁକୁ ଫେରାଇ ନେଇଥିବା ବେଳେ ଶିଶୁ କନ୍ୟାକୁ ଡାକ୍ତରଖାନାର କର୍ମଚାରୀ ଏସଏନସିୟୁକୁ ନେଇ ରଖିଥିଲେ। ତେବେ ତୁଳସୀନାଙ୍କ ଶେଷକୃତ୍ୟ ସାରି ପରିବାର ଲୋକେ କୋରାପୁଟ ଆସି ଡାକ୍ତରଖାନାରେ ନବଜାତ ଶିଶୁ କନ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ଚାହିଁବାରୁ ତୁଳସୀନାଙ୍କ ସମ୍ପର୍କୀୟ କେହି ତାକୁ ନେଇଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଥିଲେ।

ତେବେ ଗତକାଲିଠାରୁ ସେପରି କେହି ସଂପର୍କୀୟ ଶିଶୁକୁ ନେଇଥିବା ସ୍ପଷ୍ଟ ନହେବାରୁ ପରିବାର ଲୋକେ ଥାନାରେ ଆଜି ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର