କୋଭିଡ-୧୯ କଟକଣାରେ ବାହା ହୋଇଥିଲେ ଯୁବକ, କରୋନାରେ ମୃତ୍ୟୁ

ଜୟପୁର: କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହେବାପରେ ପ୍ରାଣ ହାରିଛନ୍ତି। ୩୦ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଲେ ନବବିବାହିତ। କୋରାପୁଟ ଜିଲ୍ଲାର ଜୟପୁର ସହରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସହରର ପାୱରହାଉସ କଲୋନି ନିବାସୀ ୪୧ ବର୍ଷିୟ ଏମ୍ .ହେମଗିରୀ(ଗିରୀ) ରାଓ ମେ ୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସମସ୍ତ ଗାଇଡଲାଇନ ଅନୁସାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ବିବାହର ମାତ୍ର ୩ ଦିନ ପରେ ମେ ୨୪ରେ ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଦିନ ହିଁ ଗିରୀ ଜୟପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବା ପର ଠାରୁ ତାଙ୍କ ଅକ୍ସିଜେନ୍ ସ୍ତର କମିବାରେ ଲାଗିଥି‌ଲା। ୪ଜୁନ ପର୍ଯ୍ୟନ୍ତ ସେ ଜୟପୁର କୋଭିଡ୍ ହସ୍ପିଟାଲରେ ରହିଥିଲେ। ଅବସ୍ଥାରେ ସୁଧାର ନ ଆସିବାରୁ ସେ ଭୁବନେଶ୍ବର ଆଦିତ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

୫ତାରିଖରେ ଆଡମିସନ ପରେ ଆଇସିୟୁରେ ଓ ୧୮ତାରିଖରୁ ଗତକାଲି ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିଥିଲେ। ଭେଣ୍ଟିଲେଟରରେ ଚିକିତ୍ସାଧୀନ ରହିଥିବା ବେଳେ ଗତ କାଲି ଦିନ ତିନିଟା ୪୦ରେ ଗିରୀଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ , ମେ ୨୧ରେ ସ୍ଥାନୀୟ ପ୍ରସାଦରାଓ ପେଟ୍ଟା ଅଂଚଳର ଏ.ପଦ୍ମା(୩୩)ଙ୍କୁ ବାହା ହୋଇଥିଲେ ଗିରୀ। ବାପା ସ୍ବର୍ଗତ ଏମ୍ .କ୍ରୀଷ୍ଣା ରାଓ ଗିରୀ ଦୁନିଆକୁ ବୁଝିବା ପୂର୍ବରୁ ହିଁ ଆରପାରିକୁ ଚାଲି ଯାଇଥିଲେ। ମା ଏମ୍. ମିରାବାଇ ପୁଅ ଓଏବଂ ଝିଅକୁ ବହୁ କଷ୍ଠରେ କାମଧନ୍ଦା କରି ପାଳି ପୋଷି ବଡ଼ କରିଥିଲେ। ଗିରୀ ବଡ଼ ହେବା ପରେ ଧାର ଉଧାର କରି ଅଟୋ ଖଣ୍ଡିକ କିଣିଥିଲେ। ଗୋଟିଏ ଅଟୋରୁ ତିନୋଟି ଆଟୋ କିଣି ଏହି ବ୍ୟବସାୟ କରୁଥିଲେ।

Sambad

ଏହାରି ମଧ୍ୟରେ ସେ ଜମିଜମା ବିକ୍ରୀ (ରିଏଲ୍ ଇଷ୍ଟେଟ୍ ) ଧନ୍ଦାରେ ବି ସାମିଲ୍ ହୋଇଥିଲେ। ମାଙ୍କୁ ନେଇ ଗିରୀ ଖୁସିବାସିରେ ରହୁଥିଲେ। ଗତ ଦୁଇ ବର୍ଷ ହେବ ପଂଜାବ ନ୍ୟାନସାଲ ବ୍ୟାଙ୍କରେ ୧୧ଲକ୍ଷର ଋଣ ନେଇ ପାୱାରହାଉସ୍ କଲୋନୀରେ ଘର ଖଣ୍ଡିକ ନିର୍ମାଣ କରିଥିଲେ। ତେବେ ଗତ ଦେଢ଼ ବର୍ଷ ହେବ କରୋନା ପର ଠାରୁ ବହୁ କଷ୍ଠରେ ମାଙ୍କୁ ନେଇ ଚଳୁଥିଲେ। ଏପରିକି ଗୃହଋଣର କିସ୍ତି ବି ସେ ବାନ୍ଧି ପାରିନଥିଲେ। ନବବଧୁର ଅଳତା ଲିଭିବା ପୂର୍ବରୁ ହିଁ ଗିରୀଙ୍କର ମୃତ୍ୟୁ ହୋଇଛି। ଗିରୀ ଉପରେ ପୁରା ନିର୍ଭର ଥିବା ନବବଧୁ ପଦ୍ମା ଓ ମା ମିରାବାଇ ଏହି ଘଟଣାକୁ ନେଇ ଭାଙ୍ଗି ପଡ଼ିଛନ୍ତି। ଏବେ ଉଭୟ କିଭଳି ବଂଚିବେ ତାହାକୁ‌ ‌ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ଦୁହେଁଙ୍କୁ ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ସହଯୋଗର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ତାଙ୍କ ଅମାୟିକ ବ୍ୟବହାର, ହସହସ ମୁହଁ, ଅଧ୍ୟାତ୍ମିକ ଚିନ୍ତାଧାରା, ମିଷ୍ଠଭାଷୀ ଓ ମେଳାପୀ ଥିବାରୁ ଗିରୀ ସହରର ସବୁ ବର୍ଗରେ ପରିଚିତ ଥିଲେ। ବିଭିନ୍ନ ମହଲ‌ରେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର