ନବବଧୂର ସନ୍ଦେହଜନକ ମୃତ୍ୟୁ, ବାପା ଆଣିଲେ ହତ୍ୟା ଅଭିଯୋଗ, ସ୍ବାମୀ ଓ ଶାଶୂ ଗିରଫ

ଏରସମା: ଏରସମା ବ୍ଲକ ଅପଲିକଂଟା ପଞ୍ଚାୟତର କେନ୍ଦୁଶାଳ ଗ୍ରାମରେ ଗତକାଲି ରାତିରେ ଏକ ନବବଧୂର ସନ୍ଦେହଜନକ ମୃତ୍ୟୁ ପରେ ବାପ ଘର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ତାଙ୍କ ଝିଅକୁ ନିର୍ଯାତନା ଦେଇ ହତ୍ୟା କଲା ପରେ ଦୌଡ଼ିରେ ବାନ୍ଧି ଟାଙ୍ଗି ଦିଆଯାଇଛି ବୋଲି ନବବଧୂ କୌଶଲ୍ୟାର ପିତା ଧ୍ରୁବ ଚରଣ ମହାପାତ୍ର ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ଏରସମା ଥାନା ଏସ୍‌ଆଇ ଯୋଗେଶ୍ୱର ବେହେରା ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଇଥିଲେ। ପୁଲିସ୍‌ ଥାନା କେସ୍‌ ନଂ୨୩୭/୨୧ରେ ଏକ ମାମଲା ରୁଜୁ କରାଯାଇ ଭାରତୀୟ ଦଣ୍ଡବିଧି ଆଇନ୍‌ର ୪୯୮(ଏ)/୩୦୪(ବି)/ ୩୦୨/୩୪ ଧାରା ଅନୁଯାୟୀ ସ୍ବାମୀ ବିକ୍ରମ ଦାସ, ଶାଶୂ କ୍ଷେତ୍ରମୋହନ ଦାସଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ ସୂଚନା ଦେଇଛନ୍ତି।
କୁଜଙ୍ଗ ବ୍ଲକ କାଠକୋଟା ପଂଚାୟତର ବାଣେଶ୍ୱରା ଗ୍ରାମର ଧ୍ରୁବଙ୍କ ଅଭିଯୋଗ ମୁତାବକ ଝିଅ କୌଶଲ୍ୟା ଦାସଙ୍କୁ ୫ ବର୍ଷ ତଳେ ପଲିକଂଟା ପଂଚାୟତ କେନ୍ଦୁଶାଳ ଗ୍ରାମର ବିଜୟ ଦାସଙ୍କ ପୁତ୍ର ବିକ୍ରମଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରଘର କହିବା ମୁତାବକ ଜାନିଯୌତୁକ ଉପହାର ଦିଆଯାଇଥିଲା।

କିଛିଦିନ ଭଲରେ ଦାମ୍ପତ୍ୟ ଜୀବନ ସୁଖମୟ ଭାବେ କଟିଥିଲା। କିନ୍ତୁ ଏହାପରେ ଝିଅ କୌଶଲ୍ୟା ଉପରେ ଅଧିକା ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଫଳରେ ସେ ଧାରକରଜ କରି କିଛି ଫର୍ଣ୍ଣିଚର କିଣି ପଠାଯାଇଥିଲା। ଏହା ସତ୍ତ୍ବେ ସେମାନେ ତାଙ୍କ ଝିଅକୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏମିତିକି ଗାଁ ଭଦ୍ର ଲୋକଙ୍କୁ ନେଇ ବିବାଦର ସମାଧାନ କରାଯାଇଥିଲା। କିନ୍ତୁ ଶୁକ୍ରବାର (୮ତାରିଖ) ଦିନ ଝିଅ କୌଶଲ୍ୟାକୁ ମାରି ଦୌଡ଼ିରେ ଟାଙ୍ଗି ଦେଇ ଆତ୍ମହତ୍ୟା ରୂପ ଦିଆଯାଇଛି। ଶ୍ବଶୁର ବିଜୟ ଦାସ, ଦିଅର ନିହାର ରଂଜଦ ନାସ, ନଣନ୍ଦ ବେବିନା ଲେଙ୍କା, ମାନସୀ ସାହୁ ଓ ଦୁଇ ଜ୍ୱାଇଁ ମିଶି କୌଶଲ୍ୟାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର