ଭଦ୍ରକ: ବାହାଘର ୩ ମାସ ନ ପୁରୁଣୁ ନବଦମ୍ପତିଙ୍କ ଆତ୍ମହତ୍ୟା

ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସାଁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ୩ ମାସ ପୁରି ନାହିଁ। ପାରିବାରିକ କଳହକୁ କେନ୍ଦ୍ର କରି ନବଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ମେଡିକାଲ ପଛପଟ ସାଁପୁର ଗ୍ରାମର ସତ୍ୟରଞ୍ଜନ ତ୍ରିପାଠୀଙ୍କ ପୁଅ ଧର୍ମେନ୍ଦ୍ର ତ୍ରିପାଠୀଙ୍କର କଟକ ଜିଲ୍ଲା ବାଙ୍କି ଅଞ୍ଚଳର ନୀଳମଣି ଦାଶଙ୍କ ଝିଅ ପୂର୍ଣ୍ଣିମାଙ୍କ ସହିତ ଗତ ମେ ମାସ ୯ ତାରିଖ ଦିନ ବିବାହ ହୋଇଥିଲା। ତେବେ ବିବାହ ପରଠାରୁ ଉଭୟ ପରିବାର ମଧ୍ୟରେ ସମ୍ପର୍କ ଠିକ୍‌ ଥିବା ବେଳେ କୌଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏହି ଅସନ୍ତୋଷ କାରଣରୁ ଗତକାଲି ରାତି ପ୍ରାୟ ୧ଟା ବେଳେ ଧର୍ମେନ୍ଦ୍ର ବିଷ ପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ପୂର୍ଣ୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରକାନା ପଠାଯାଉଥିଲା। ବାଟରେ ଧର୍ମନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ପରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ପୂର୍ଣ୍ଣିମାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର