ବିଦ୍ୟୁତ୍‌ ଆଘାତରେ ନବବଧୂଙ୍କ ମୃତ୍ୟୁ

ଆନନ୍ଦପୁର: ବିବାହକୁ ଛଅମାସ ନ ପୂରୁଣୁ ଘସିପୁରା ଥାନା ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। ତେବେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଥାନାରେ ଅଭି‌ଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଇନ୍ଦୁପୁରା ଗ୍ରାମର ଶାନ୍ତନୁ କୁମାର ଧୀର ଗତ ଜ‌ାନୁଆରି ୧୫ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ବରକୋଣା ଗ୍ରାମର ଉପେନ୍ଦ୍ର ସ୍ବାଇଁଙ୍କ ଝିଅ ରଶ୍ମିରେଖା (୨୨)ଙ୍କୁ ଭଲପାଇ ବିବାହ କରିଥିଲେ। ଏହି ବିବାହରେ ଝିଅଘର ପରିବାର ଲୋକେ ରାଜି ନଥିଲେ।

ଆଜି ଦିନ ଦୁଇଟା ବେଳେ ରଶ୍ମିରେଖାଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା। ଖବର ପାଇ ତାଙ୍କ ବାପଘର ଲୋକେ ଆସି ଡାକ୍ତରଖାନାରେ ପହଞ୍ଚିଥିଲେ। ଝିଅକୁ ଷଡ଼୍‌ଯନ୍ତ୍ର କରି କରେଣ୍ଟ ଲଗାଇ ମାରି ଦେଇଥିବା‌ ଅଭି‌ଯୋଗ କରିଥିଲେ। ରଶ୍ମିରେଖାଙ୍କ ଭାଇ ଶ୍ରୀକାନ୍ତ ସ୍ବାଇଁ ଏନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ବିବାହର କିଛିଦିନ ପରେ ତାଙ୍କ ଭଉଣୀଙ୍କୁ ଯୌତୁକ ପାଇଁ ହଇରାଣ ହରକତ କରାଯାଉଥିଲା। ଏନେଇ ସେ ଫୋନ୍ କରି ଜଣାଇଥିବା ଶ୍ରୀକାନ୍ତ ନିଜ ଏତଲାରେ ଦର୍ଶାଇଛନ୍ତି। ପୁଲିସ୍ କେସ୍ ନମ୍ବର ୧୨୦/୨୩ରେ ଏକ ମାମଲା ରୁଜୁ କରି ସ୍ବାମୀ ଶାନ୍ତନୁ ଓ ତାଙ୍କ ବାପା ଶଙ୍କର୍ଷଣ ଧୀରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର