ବାଲେଶ୍ୱର: କରୋନା ଭୂତାଣୁ ଦ୍ଵାରା ରବିବାର ବାଲେଶ୍ୱର ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ କ୍ୱାରାଣ୍ଟିନ୍ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ସଂମ୍ପୃକ୍ତ ୬ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ କୋଭିଡ୍ ଯୋଦ୍ଧା ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ୨ କୋଭିଡ୍ ଯୋଦ୍ଧା ଜଳେଶ୍ୱର ଅଞ୍ଚଳର। ଦୁହିଁଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ କଲେଜର ପିଅନ ଥିବା ବେଳେ ଅନ୍ୟ ଜଣେ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି। ଅନ୍ୟ ୪ଜଣ ସ୍ଥାନୀୟ ସଂକ୍ରମିତ ବିଷୟରେ କୌଣସି ସୂଚନା ଦିଆଯାଇ ପାରି ନଥିବା ବେଳେ ଏମାନେ କିପରି କାହା ସଂସ୍ପର୍ଶରେ ଆସିଛନ୍ତି ତାହା ମଧ୍ୟ ଜଣାପଡ଼ି ନଥିବା କୁହାଯାଇଛି।
ଅନ୍ୟପକ୍ଷରେ କ୍ୱାରାଣ୍ଟିନ ସେଣ୍ଟରରୁ ବାହାରିଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା, ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ଅନ୍ୟଜଣେ ଭୁବନେଶ୍ୱର ଏମ୍ସ ହସ୍ପିଟାଲର ଇନଷ୍ଟିଚ୍ୟୁସନାଲ କ୍ୱାରାଣ୍ଟିନରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି।
ସୂଚନାଥାଉକି, ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଯେତିକି ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି, ଚାରିଆଡ଼େ ଏବେ ଦୋକାନବଜାର ଓ ଯାନବାହାନ ଚଳାଚଳ ଫଳରେ ଗୋଷ୍ଠୀ ସଂକ୍ରମଣ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଗତ ସପ୍ତାହ ଭିତରେ ଜିଲ୍ଲାରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କିପରି କରାଯିବ ସେନେଇ ପ୍ରଶାସନ ଅଧିକ ସତର୍କ ରହିବା ଉଚିତ ବୋଲି ବିଭିନ୍ନ ମହଲ ଦାବି କରିଛନ୍ତି।