ବ୍ରହ୍ମପୁର: ଖରିଫ୍‌ ଚାଷ ପାଇଁ ସାଧାରଣତଃ ଚାଷୀ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରିଥାନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହି ସମୟରେ ବର୍ଷା ନଥିବାରୁ ଚାଷୀ କେବଳ ପରଂପରା ପାଳି ବିଲରେ ଧାନ ବୁଣିଥାନ୍ତି। ଅକ୍ଷୟ ତୃତୀୟ ସରି ପ୍ରାୟ ଦେଢ଼ମାସ ବିତିଲାଣି। ମାଟି ଓଦା ନଥିବାରୁ ବିଲରେ ଲଙ୍ଗଳ ବୁଲାଇବା ସମ୍ଭବ ନୁହେଁ। ଜିଲ୍ଲାର ଚାଷୀ ବର୍ଷା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଏଣୁ ବର୍ଷା ନହେଲେ ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ନଥାଏ। ଏବେ ବିଭିନ୍ନ ସମୟରେ କାଳ‌ ବୈଶାଖୀ ହୋଇ କିଛିଟା ବର୍ଷା ହେଉଛି। ମୌସୁମୀ ବର୍ଷା ମଧ୍ୟ ପାଖେଇ ଆସିଲାଣି। ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ୨୦୨୩-୨୪ ଖରିଫ୍‌ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ ନାହିଁ। ଜିଲ୍ଲା କୃଷି ବିଭାଗ ଗତବର୍ଷର ଖସଡ଼ା ଧରି ଖରିଫ୍‌ ଯୋଜନା ଆରମ୍ଭ କରିଛି। ସେପଟେ ଖୁବ୍‌ଶୀଘ୍ର ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବୈଠକ ଡାକି ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

Advertisment

ଗଞ୍ଜାମ ଜିଲ୍ଲାରେ ସାଧାରଣତଃ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହାର ମୁଖ୍ୟ କାରଣ ହେଲା ପର୍ଯ୍ୟାପ୍ତ ଜଳସେଚନର ଅଭାବ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଥିବା ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍‌ ଜମିରେ ଖରିଫ୍‌ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଧାନଚାଷରେ ଲାଭ କମ ଥିବାରୁ କପାଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ କୃଷି ବିଭାଗ ଯୋଜନା କରିଛି। ଫଳରେ ଚାଷୀ ଅଧିକ ଲାଭବାନ ହୋଇ ପାରିବେ। ଗତବର୍ଷ ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ଲକ୍ଷ୍ୟ ରହିବ ବୋଲି ଅନୁମାନ କରାଯାଉଛି। ଯାହାକି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖରିଫ୍‌ ୨୦୨୩-୨୪ ନୀତି ନିର୍ଦ୍ଧାରଣ ବୈଠକରେ ଚୂଡ଼ାନ୍ତ ହେବ। ବର୍ତ୍ତମାନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବି ଖାଲି ପଡ଼ିଛି। ଅମଲା ସଂଘର ଆହ୍ବାନ କ୍ରମେ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଣୁ ବୈଠକ ଆୟୋଜନରେ ବାଧା ଉପୁଜିଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲା ପାଇଁ ଚଳିତ ଖରିଫ୍‌ ଋତୁରେ ପ୍ରାୟ ୫୦ହଜାର କ୍ବିଣ୍ଟାଲ୍‌ ଧାନ ବିହନ ଆବଶ୍ୟକ। ତନ୍ମଧ୍ୟରୁ ପ୍ରାୟ ୧୮ହଜାର କ୍ବିଣ୍ଟାଲ୍‌ ବିହନ ପ୍ୟାକ୍ସ ଓ ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି କରାଯାଇ ସାରିଲାଣି। ବର୍ତ୍ତମାନ ବର୍ଷା ନଥିବାରୁ ଚାଷୀ ବିହନ ନେଉ ନାହାନ୍ତି। ଆଗାମୀ ଦିନରେ ବର୍ଷା ଆରମ୍ଭ ହେଲେ ଚାଷୀ ବିହନ କିଣିବେ। ଏଣୁ ପର୍ଯ୍ୟାପ୍ତ ପରିମାଣରେ ବିହନ ମହଜୁଦ ରଖିବାକୁ ଚାଷୀ ସଙ୍ଗଠନମାନେ ଦାବି କରିଛନ୍ତି।