ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅନ୍ତର୍ଗତ ନିଜିଗଡ ବାଲିଘାଟରୁ ବାର୍ଷିକ ଅନୁମତି ଠାରୁ ଅଧିକ ପରିମାଣରେ ବାଲି ଉତ୍ତୋଳନ ନେଇ ବାରମ୍ବାର ସ୍ଥାନୀୟ ଖଣି ଓ ଇସ୍ପାତ, ରାଜସ୍ବ ଓ ଆରକ୍ଷୀ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ୟୁଥ୍ ୟୁନାଇଟେଡ଼ ସନସେଷ୍ଟାବ୍ଲ୍ୟୁ ଇନଭାରମେଣ୍ଟ (ୟୁସେ) ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗତ ଫେବୃଆରୀ ମାସରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ଙ୍କ ନିକଟରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ମୁତାବକ ନିଜିଗଡ ବାଲି ସୌରାତ ପାଇଁ ଖାତା ନମ୍ବର-୪୪୬, ପ୍ଲଟ ନମ୍ବର-୩୬୯୫ ୧୦.୦୬ ହେକ୍ଟର ପରିମିତ ସ୍ଥାନରୁ ବାଲି ଉତ୍ତୋଳନ କରିବା ପାଇଁ ୨୦୧୭ ମସିହାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିଲାମ ପ୍ରକ୍ରିୟା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବାଲିଘାଟକୁ ତାଳଚେର ଅଞ୍ଚଳର ପିତାମ୍ବର ଭୂତିଆ ନାମକ ବ୍ୟକ୍ତି ୫ ବର୍ଷ ନିମନ୍ତେ ଧାର୍ଯ୍ୟ କରି ପାଇଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ ମସିହା ପାଇଁ ୧୮ ହଜାର ଘନଫୁଟ ଓ ଆର୍ଥିକ ବର୍ଷ ୨୦୨୩-୨୪ ମସିହା ପାଇଁ ୪୫୦୦ ଘନଫୁଟ ବାଲି ଉତ୍ତୋଳନ ନିମନ୍ତେ ପରିବେଶ ମଞ୍ଜୁରୀ ରହିଛି। ଶ୍ରମିକ ମାନଙ୍କୁ ନେଇ ବାଲି ଉତ୍ତୋଳନ ହେବାକୁ ଧାର୍ଯ୍ୟ ରହିଥିଲେ ମଧ୍ୟ ଲିଜଧାରୀ ୪ ଗୋଟି ଏସ୍କାଭେଟର ଯନ୍ତ୍ର ସାହାଯ୍ୟରେ ନଦୀ ଗର୍ଭରେ କୃତ୍ରିମ ରାସ୍ତା ନିର୍ମାଣ କରି ଦୈନିକ ଅନୁମତି ଠାରୁ ଢେର ଅଧିକ ବାଲି ଉତ୍ତୋଳନ କରିଆସୁଛି।

Advertisment

ସେହିପରି ଭାବରେ ନଦୀ ଗର୍ଭରେ କୃତ୍ରିମ ରାସ୍ତା ନିର୍ମାଣ କରି ପରଜଙ୍ଗ ତହସିଲର ଖାଳପାଳ ମୈଜାର ବହୁତ ଅଞ୍ଚଳରୁ ମଧ୍ୟ ହଜାର ହଜାର ଘନଫୁଟ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ମାନ୍ୟବର ଏନଜିଟି ଗୁରୁତର ସହିତ ବିଚାରକୁ ନେଇ ତା ୧୨/୦୩/୨୦୨୪ ରିଖରେ ବିଚାରପତି ଜଷ୍ଟିସ ଅମିତ୍ ସ୍ଥାଲେକର ଓ ପରିବେଶ ସଦସ୍ୟ ଡ଼ଃ ଅରୁଣ କୁମାର ବର୍ମା ଶୁଣାଣି କରି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ‌। ଉକ୍ତ କମିଟିରେ ଅନୁଗୁଳ ଜିଲ୍ଲାପାଳ, ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷର ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଉକ୍ତ ବାଲିଘାଟକୁ ଯାଇ ତଦନ୍ତ କରି ସତ୍ୟପାଠ ମାଧ୍ୟମରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ମାନ୍ୟବର ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ‌। ଆଗାମୀ ଶୁଣାଣି ତା୨/୦୫/୨୦୨୪ ରିଖକୁ ଧାର୍ଯ୍ୟ କରିଥିବା ନେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବି ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢୀ ସୂଚନା ଦେଇଛନ୍ତି।