ଦିଲ୍ଲୀ ପ୍ରଦୂଷଣ ଚିନ୍ତା: ସମସ୍ତ ଶିଳ୍ପ କାରବାର ଉପରେ ରୋକ ଲଗାଇଲେ ଏନଜିଟି

ଜରୁରି ବୈଠକ ଡାକିବାକୁ ପରିବେଶ ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ସାଙ୍ଗକୁ ପ୍ରଦୂଷଣ ସ୍ତର ଭୟାବହ ସ୍ଥିତିରେ ପହଞ୍ଚିଛି। ଏପରିକି ପରିସ୍ଥିତି ଏମିତି ହୋଇଛି ଯେ ୧୦ ମିଟର ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଉ ନାହିଁ। ଆଜି ଜାତୀୟ ଗ୍ରିନ୍‌ ଟ୍ରିବୁନାଲ( ଏନ୍‌ଜିଟି) ଦିଲ୍ଲୀ ସରକାର, ସିଏମଡି ଓ ପଡୋଶୀ ରାଜ୍ୟକୁ ଦିଲ୍ଲୀର ପ୍ରଦୂଷଣ ପାଇଁ ଭର୍ସନା କରିଛନ୍ତି। ଆଜି ଏନଜିଟିରେ ଦିଲ୍ଲୀ ପ୍ରଦୂଷଣ ନେଇ ଶୁଣାଣି ଆରମ୍ଭ ହୋଇଥିିବା ବେଳେ ଏ ନେଇ ଏନ୍‌ଜିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନଜିଟି ଦିଲ୍ଲୀ ସରକାର, ଏମସିଡି ଓ ପଡୋଶୀ ସରକାରଙ୍କୁ କହିଛନ୍ତି , ଆପଣ ଡାକ୍ତରଖାନା ଯାଇ ଲୋକଙ୍କ ଦୁର୍ଦ୍ଦଶା ଦେଖନ୍ତୁ। ଆପଣମାନେ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଏନଜିଟି କହିବା ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଚଳିତ ମାସ ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।


କେବଳ ସେତିକି ନୁହେଁ, ଏ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରିବେଶ ମନ୍ତ୍ରଣାଳୟ ତୁରନ୍ତ ଏ ନେଇ ଜରୁରି ବୈଠକ ଡାକିବାକୁ ଦିଲ୍ଲୀ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାର ଓ ଏମସିଡିକୁ ଭର୍ସନା କରି ଏନଜିଟି କହିଛନ୍ତି ଯେ ଆପଣମାନେ ଜାଣିଥିଲେ ଯେ ଦିଲ୍ଲୀର ପ୍ରଦୂଷଣ ନେଇ ଆଜି( ୯ ନଭେମ୍ବର) ଶୁଣାଣି ହେବ। ତଣୁ ଗତକାଲି( ୮ ତାରିଖ) ପ୍ରଦୂଷଣ ନେଇ ଘୋଷଣା କରୁଛନ୍ତି। ଆପଣମାନଙ୍କ ଆଖି ଆଗରେ ଖୋଲାଖୋଲି ପ୍ରଦୂଷଣ ହେଉଥିଳେ ମଧ୍ୟ ଆପଣମାନେ ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି କହି ଏନଜିଟି ଦିଲ୍ଲୀ ସରକାର ଓ ଏମସିଡିକୁ ଭର୍ସନା କରିଛନ୍ତି। ଏନଜିଟି କହିଛନ୍ତି ଆପଣମାନେ ପ୍ରଦୂଷଣ ରୋକିବାରେ ବିଫଳ ହୋଇଛନ୍ତି୍‌ିି। ପ୍ରଦୂଷଣ ରୋକିବା ଆମ ସମସ୍ତଙ୍କର ଦାୟିତ୍ୱ। ଭାରତୀୟ ସମ୍ବିଧାନର ଧାରା ୨୧ ଓ ୪୮ ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ଜୀବନ ପାଇଁ ବାତାବରଣ ଯୋଗାଇ ଦିଆଯିବା କଥା।ମାତ୍ର ତାହା ହେଉ ନାହିଁ ବୋଲି କହିବା ସହିତ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଶିଳ୍ପ କାରଖାନାର କାର୍ଯ୍ୟ ବନ୍ଦ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଙ୍ଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ନେଇ ଏନଜିଟି ଘୋର ଚିନ୍ତ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର