ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି : ଖଣି ମାଫିଆଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଜିଲ୍ଲା ପ୍ରଶାସନକୁ ଏନଜିଟିଙ୍କ ତିରସ୍କାର

ଖୋର୍ଦ୍ଧା : ରାଜ୍ୟରେ ଜଗନ୍ନାଥଙ୍କ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି । ବର୍ତମାନ ସେହି ସମସ୍ତ ଜମି ଖଣି ମାଫିଆଙ୍କ କବଜାରେ ରହିଛି । ଏନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲରେ ୨୦୧୮ରେ ଦାଖଲ ହୋଇଥିବା ଏକ ମାମଲାରେ ପୁଣି ଥରେ ଟ୍ରିବୁନାଲ୍ ଜିଲ୍ଲା ପ୍ରଶାସନକୁ କଡ଼ା ସମାଲୋଚନା କରିବା ସହ ବେଆଇନ ଖଣି ବନ୍ଦ କରିବାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଓ ବେଆଇନ ଖଣି ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିବାରୁୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଓ ସେଠାରୁ ସୃଷ୍ଟି ହେଉଥିବା ପରିବେଶ ସମସ୍ୟା ସମ୍ପର୍କିତ ମାମଲା ନଂ ୫୪/୨୦୧୮ବିଚାର କରି ଟ୍ରିବୁନାଲ୍ ଆଇଏ ୩୯/୨୦୨୦ରେ ଏନେଇ ‘କଣ ପଦକ୍ଷେପ’ ନେଇଛ ସେନେଇ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲାପାଳ, ରାଜ୍ୟ ଏନଭାରମେଣ୍ଟ ଇମ୍ପେକ୍ଟ ଆସେସମେଣ୍ଟ ଅଥରିଟି (ଏସ୍ଇଆଇଏଏ), ରାଜ୍ୟ ପରିବେଶ ବିଭାଗର ଅତିରିକ୍ତ ସଚିବ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖଣି ନିଦେ୍ର୍ଦଶକ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସତ୍ୟପାଠର ଅନୁଧ୍ୟାନ କରି ଚଳିତ ମାସ ୮ ତାରିଖରେ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ୟ ସରକାରଙ୍କ ପକ୍ଷଭୁକ୍ତ ହୋଇଥିବା ବିଭିନ୍ନ ବିଭାଗ ଓ ଜିଲ୍ଲାପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନିଜର ରାୟରେ ଟ୍ରିବୁନାଲ୍, ଏସ୍ଇଆଇଏଏ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ସନ୍ତୋଷଜନକ ଓ ଯୁକ୍ତିସଂଗତ ନଥିବାରୁ ପୁଣିଥରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଟ୍ରିବୁନାଲ୍ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାପାଳ ଖୋର୍ଦ୍ଧା ତହସିଲଦାରଙ୍କ ଜରିଆରେ ସତ୍ୟପାଠ ଦାଖଲ କରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତହସିଲଦାରଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ସତ୍ୟପାଠରେ ତହସିଲଦାର, ଖୋର୍ଦ୍ଧା ଥାନା ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ସହକାରୀ ବନେ୍ଦାବସ୍ତ ଅଧିକାରୀ, ଖୋର୍ଦ୍ଧା ରାଜସ୍ୱ ନିରୀକ୍ଷକଙ୍କୁ ନେଇ ପୂର୍ବରୁ ଗଠିତ କମିଟିର ରିପୋର୍ଟ ଦାଖଲ ହୋଇଥିବା ଓ ଏଥିରେ ବେଆଇନ ଖଣି ଖୋଳୁଥିବା ଲୋକଙ୍କ ନାମ ଦର୍ଶାଯାଇନଥିବାରୁ ଟ୍ରିବୁନାଲ୍ ଜିଲ୍ଲାପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେହିଭଳି ସତ୍ୟପାଠର ଅନୁଚ୍ଛେଦ ୭ରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖୋଳିବାକୁ ଅନୁମତି ଦିଆଯାଇନଥିବା ଦର୍ଶାଯାଇଥିବା ବେଳେ ସେଠାରୁ ଖଣିଜଦ୍ରବ୍ୟ ଖୋଳି ଯେଉଁ ଟ୍ରକଗୁଡ଼ିକରେ ଚାଲାଣ ହେଉଛି ସେଗୁଡ଼ିକ କାହାରି ପାଇଁ ହେଉଛି ସେନେଇ ମଧ୍ୟ ଜିଲ୍ଲାପାଳ ଦର୍ଶାଇନାହାନ୍ତି ।

ଟ୍ରିବୁନାଲ୍ ରାୟରେ କହିଛନ୍ତି ଯେ ସେ ଅନୁଭବ କରିଥିଲେ ଜିଲ୍ଲାପାଳ ନିଜେ ଉକ୍ତ ଖଣି ଅଂଚଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ କିନ୍ତୁ ସେ ସେପରି କରିନାହାନ୍ତି । ଏଣୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ଖାରଜ କରିଛନ୍ତି । ଏଥିରେ ସେ ନିଦେ୍ର୍ଦଶ ଦେଇଛନ୍ତି ଯେ ଜିଲ୍ଲାପାଳ ନିଜେ ଉକ୍ତ ଅଂଚଳ ପରିଦର୍ଶନ କରି, ବେଆଇନ ଖଣି ମାଫିଆଙ୍କ ସବିଶେଷ ବିବରଣୀ, କାହାରି ପାଇଁ ବେଆଇନ ଭାବେ ଟ୍ରକ୍ରେ ଖଣିଜଦ୍ରବ୍ୟ ବିଶେଷତଃ ମାଙ୍କଡ଼ା ପଥର ଚାଲାଣ ହେଉଛି, ବେଆଇନ ଖଣି ଜନିତ ପରିବେଶ କ୍ଷତିର ଭରଣା କରିବାକୁ କେତେ ଟଙ୍କା ଆଦାୟ କରାଯାଇଛି ଓ ପରିବେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ସୁବିସ୍ତୃତ ବିବରଣୀ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୮ରେ ପରିବେଶବିଦ୍ ଓ ସୂଚନା ଅଧିକାରକର୍ମୀ ବିଧୁ ଭୂଷଣ ହରିଚନ୍ଦନ ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗର ଅଣ୍ଡ, ତାପଙ୍ଗ, ଝିଙ୍କିଝରି ଆଦି ଗାଁରେ ଶ୍ରୀଜଗନ୍ନାଥଙ୍କ ଜମି ସହ ୫୦୦ଏକରରୁ ଉଦ୍ଧ୍ୱର୍ ଗୋଚର, ସରକାରୀ, ଜଙ୍ଗଲ ଜମିରେ ୪୦ରୁ ଉଦ୍ଧ୍ୱର୍ ବେଆଇନ ଖଣି ଚାଲୁଥିବା ଓ ଏହାଦ୍ୱାରା ଆଖପାଖ ଅଂଚଳର ପରିବେଶର ବ୍ୟାପକ କ୍ଷତି ହେଉଥିବା ଦର୍ଶାଇ ସେମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ, ପୁଲିସ, ପରିବେଶ ନିୟନ୍ତ୍ରଣ ବୋର୍ଡ, ଖଣି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ରାଜସ୍ୱ ବିଭାଗ ଆଦି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ୪ ଫେବ୍ରୁଆରୀ ୨୦୧୯ ଓ ୫ ମଇ ୨୦୨୦ରେ ସତ୍ୟପାଠ ଜରିଆରେ କ’ଣ ପଦକ୍ଷେପ ନେଇଛ ଜଣାଇବାକୁ ନିଦେ୍ର୍ଦଶ ଦେଇଥିଲେ ।

ସମ୍ବନ୍ଧିତ ଖବର