ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ସେମିଳିଗୁଡା/ସୁନାବେଡା: ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ମୃତଦେହ ରଖି ୨୬ ନମ୍ବର ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବା ଯୋଗୁ ଦୀର୍ଘ ୩ ଘଣ୍ଟା ଧରି ଗାଡ଼ିଗୁଡିକ ରାସ୍ତାରେ ଛିଡା ହୋଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ଉପକଣ୍ଠ ଚି଼କାପାର ଗ୍ରାମର ସଂଯୁକ୍ତା ବେନିଆ (୪୨) ସୁନାବେଡା ପବ୍ଲିକ ସ୍କୁଲରେ ଆୟା କାମ କରନ୍ତି। ସେ ଆଜି ସକାଳ ୮ଟାରେ ସଂଯୁକ୍ତା ସ୍କୁଲକୁ ଯାଉଥିବା ସମୟରେ ପାନ୍ଥୀକା ଛକ ନିକଟରେ ଜଣେ ବାଇକ ଆରୋହୀ ଧକ୍କା ଦେବାରୁ ତାଙ୍କ ଛାତିରେ ଶକ୍ତ ଧକ୍କା ଲାଗିଥିଲା  ସାଙ୍ଗେ ସାଙ୍ଗେ ତାଙ୍କୁ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟସ୍ଥିତ ଏସ୍‌ଏଲଏନ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁନାବେଡା ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ଶେଷକୃତ୍ୟ ପାଇଁ ହସ୍ତାନ୍ତର କରାଯିବା ପରେ ପରିବାର ବର୍ଗ ଓ ଚି଼କାପାର ଗ୍ରାମର ଶତାଧିକ ଗ୍ରାମବାସୀ ପାନ୍ଥୀକା ଛକଠାରେ ଲାସ ଥିବା ଆମ୍ବୁଲାନ୍ସ ରଖି କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ଧରିବା ପାଇଁ ଦାବି କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ ମୁତୟନ କରାଯାଇଥିଲା। ଶେଷରେ ସୁନାବେଡା ଥାନା ଠାରେ ଭାରତମାଳା ପ୍ରକଳ୍ପ ଦାୟିତ୍ୱରେ ଥିବା ତହସିଲଦାର କାନ୍ହୁ ଚରଣ ପଟ୍ଟନାୟକ ଓ ସୁନାବେଡା ଥାନାଧିକାରୀ ସମ୍ବିତ ବେହେରା ଆନ୍ଦୋଳନକାରୀ ଓ ମୃତ ମହିଳାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରି ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ପରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ରାଜପଥ ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର