ଜାତୀୟ ରାଜପଥ ମରଣଯନ୍ତା : ଠିକା ସଂସ୍ଥା ନାମରେ ଏତଲା ଦେଲେ ସମାଜସେବୀ

ଜୟପୁର: ବୋରିଗୁମ୍ମାରୁ –ବାରିଣୀପୁଟ ପର୍ଯ୍ୟନ୍ତ ଚାଳିଥିବା ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଗତ କିଛି ଦିନ ହେବ ଜୋର ଧରିଛି। ତେବେ ଏହି ୨୮ କିଲୋମିଟର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି। ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ହେବା ଏବଂ ଏଥିରେ ଗୁରୁତର ଆହତ ହେବା ନିୟମିତ ହୋଇଛି। ରାସ୍ତାର ଅବସ୍ଥା ଏଭଳି ରହିଛି ଯେ ଗର୍ତ୍ତରେ ପଡି ବହୁ ଯାନବାହନର ଯନ୍ତ୍ରାଂଶ ବି ନଷ୍ଟ ହେଉଛି। ରାସ୍ତାର ଅବସ୍ଥାକୁ ନେଇ ଆଜି ସମାଜସେବୀ ବସନ୍ତ ପାତ୍ର ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରି ରାସ୍ତା କାମ ନେଇଥିବା ଠିକା ସଂସ୍ଥା ନାଁରେ ଏତଲା ଦେଇଥିଲେ। ଏଭଳିକି ବିଜେଡି ପକ୍ଷରୁ ବରିଷ୍ଠ ନେତ୍ରୀ ଡ. ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ ଏନଏଚ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତି କାମର ସମୀକ୍ଷା କରି କଡ଼ା ତାଗିଦ୍ କରିଥିଲେ। ବିଜେପି ବି ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ବି କରିଥିଲା।

ଏହା ବାଦେ ବି କାମ ଯେଭଳି ହେବା କଥା ହୋଇ ପାରିନଥିଲା। ଆଜି ପୁଣି ସମାଜସେବୀ ଥାନାର ଦ୍ବାରସ୍ଥ ହେବା ପରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଜାତୀୟ ରାଜପଥ ବିଭାଗର ଏସଡିଓ ବିନୋଦ ଚନ୍ଦ୍ର ବଗର୍ତ୍ତୀଙ୍କୁ ଡାକି ରାସ୍ତା ପାଇଁ ଉପୁଜିଥିବା ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ବି ରାସ୍ତା ଅବସ୍ଥାକୁ ନେଇ ଜିଲ୍ଲା ଓକିଲ ସଂଘ, ଟ୍ରକ ମାଲିକ ସଂଘ ସହ ଅନ୍ୟାନ୍ୟ କିଛି ଅନୁଷ୍ଠାନ ପକ୍ଷରୁ ଏନେଇ ଟାଉନ ଓ ସଦର ଥାନାରେ ଅଭିଯୋଗ କରି ଠିକାସଂସ୍ଥା ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ଏତଲା ଦିଆଯାଇଥିଲା। ଉଭୟ ଥାନାରେ ଏହି ଅଭିଯୋଗଗୁଡିକୁ ଜେନରାଲ ଡାଇରୀରେ ଏଣ୍ଟ୍ରୀ କରାଯାଇଥିବା ସଦରଥାନା ଅଧିକାରୀ ଶ୍ରୀ ମହାକୁର ଓ ଟାଉନଥାନା ଅଧିକାରୀ ବାଲେଶ୍ବର ଗିଦ୍ଧୀ କହିଛନ୍ତି। ଗୋଟିଏ ପଟେ ଏହି ରାସ୍ତାଟି ରାୟପୁରରୁ ବିଶାଖାପାଟଣା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଆଦି ଜିଲ୍ଲାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିବାକୁ ଭୟ ପ୍ରକାଶ କରୁଛନ୍ତି। ସଂପ୍ରତି ଜୟପୁରର ଲକ୍ଷ୍ମୀପଣ୍ଡା ଛକରୁ – ଉମୁରୀ- ଆମ୍ବାଗୁଡା ପର୍ଯ୍ୟନ୍ତ ହଜାର ହଜାର ଗର୍ତ୍ତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆମ୍ବାଗୁଡାରୁ କୁମୁଲିପୁଟ ହରଡାଫୁଟ ଛକ ପର୍ଯ୍ୟନ୍ତ କାମ ଚାଳିଛି। ତେବେ ଏହାରି ମଧ୍ୟରେ ରହିଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ରାବଣାଗୁଡା ଡାକ୍ତରଖାନାକୁ ରାସ୍ତାର ଏଭଳି ଅବସ୍ଥାରେ ରୋଗୀ ମାନେ ଯିବାକୁ ବି ଭୟ କଲେଣି।

ସେଭଳି ଚାରଗାଁରୁ ଜୟନ୍ତଗିରୀ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନ କହିବା ଭଲ। କୁମୁଲିପୁଟ ନିକଟରେ ପ୍ରଥମେ ନାଳ କାମ ପରେ ରାସ୍ତା କାମ ଆରମ୍ଭ କରି ଖୋଳି ଦିଆଯାଇଛି। କିଛି ସ୍ଥାନରେ ବଜୁରୀ ମେଟାଲ ପଡ଼ିଥିବାବେଳେ କିଛି ସ୍ଥାନରେ ରଂଗ ମାଟି ପଡ଼ିଛି। ପାଣି ନିୟମିତ ଭାବେ ନ ପଡିଲେ ଧୁଳି ଉଡୁଛି। ଜାତୀୟ ରାଜପଥର ଅବସ୍ଥାକୁ ନେଇ ଲୋକେ ନୟାନ୍ତ ହୋଇ ପଡିଲେଣି। ସଂପ୍ରତି ଠିକା ସଂସ୍ଥା ଅତ୍ୟାଧୁନିକ ଯନ୍ତ୍ରପାତି ଆଣି ତିନୋଟି ଟିମ୍ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ କାମ କରାଉଛି ବୋଲି କହିଛନ୍ତି ଏନଏଚ ଏସଡିଓ ବିନୋଦ ବଗର୍ତ୍ତୀ। ବାରିଣୀପୁଟରୁ ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତା କାମ ଶେଷ ପର୍ଯ୍ୟାୟରେ ଜାରୀ ରହିଛି। ନଭେମ୍ବର ଶେଷ ସୁଦ୍ଧା ପିଚୁ କାମକୁ ବାକି ରଖି ସବୁ କାମ ଶେଷ ହେବ। ସେଭଳି ଡିସେମ୍ବରରେ ଗୋଟିଏ ଟିମ୍ ଲକ୍ଷ୍ମୀପଣ୍ଡା ଛକରୁ ପେପର ମିଲ୍ ଛକ ପର୍ଯ୍ୟନ୍ତ ଡିସେମ୍ବର ସୁଦ୍ଧା କାମ ସଂପୁର୍ଣ୍ଣ କରାଯିବ। ଅନ୍ୟ ଦୁଇଟି ଟିମ୍ ଏହାରି ମଧ୍ୟରେ କୁମୁଲିପୁଟ, ଆମ୍ବାଗୁଡା , ଜୟନ୍ତଗିରୀରୁ ବୋରିଗୁମ୍ମା ମଧ୍ୟରେ କାମ ସାରିବେ ବୋଲି କହିଛନ୍ତି ଏସଡିଓ।

ସମ୍ବନ୍ଧିତ ଖବର