ମଖାଗୁଡାରେ ୩୨ ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଘଟଣା: ରିପୋର୍ଟ ପ୍ରଦାନ କରୁନାହାନ୍ତି ଜିଲ୍ଲାପାଳ

ମାନବାଧିକାର କମିଶନ କ୍ଷୁବ୍ଧ, ଡିସେମ୍ବର ୧୦ ସୁଦ୍ଧା ରିପୋର୍ଟ ପ୍ରଦାନ ନ କଲେ କାର୍ଯ୍ୟନୁଷ୍ଠାନ

ଭବାନୀପାଟଣା: କରୋନା ଲକଡାଉନ ସମୟରେ ବୈଶାଖର ନିନାଘ ଓ ଝାଞ୍ଜି ପିଟୁଥିବା ବେଳେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ସରକାରୀ ଜମିରେ ବସବାସ କରୁଥିବା ମଖାଗୁଡାର ୩୨ ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗିଦେଇଥିଲେ । ସେମାନଙ୍କୁ ବେଘରକରି ମାନବାଧିକାରର ସୀମା ଉଲଂଘନ କରିଥିଲେ ବନ ବିଭାଗ । ଖରା ତରାରେ ପଡି ରହି ନିରୀହ ଆଦିବାସୀ ମହିଳା ଓ ଶିଶୁ ଛଟପଟ ହୋଇ ଘର ନ ଭାଙ୍ଗିବାକୁ ଅନେକ ନେହୁରା ହୋଇଥିଲେ ସୁଦ୍ଧା ସେମାନଙ୍କ ଗୁହାରୀକୁ କର୍ଣ୍ଣପାତ କରିନଥିଲେ ବନ ବିଭାଗର ଅଧିକାରୀମାନେ ।

ଏନେଇ ଗତ ମେ ମାସ ୨୮ ତାରିଖ ଦିନ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । କମିଶନ ଅଭିଯୋଗକୁ ଗୁରୁତ୍ୱ ଭାବେ ନେବା ସହିତ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଏହାର ସବିଶେଷ ବିବରଣୀ ଦେବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗତ ଅଗଷ୍ଟ ୧୫ ତାରିଖରେ ନିର୍ଦେଶ ଦେଇଥିଲେ । କିନ୍ତୁ ଏନଏଚଆରସି କେସ ନଂ ୧୪୦୫/୧୮.୬.୨୦୨୦ ବାବଦରେ କଳାହାଣ୍ଡି ଜିଲ୍ଲାପାଳ ନିରବରହି କୌଣସି ରିପୋର୍ଟ ଦାଖଲ କରିନାହାନ୍ତି ।

ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇ ନଭେମ୍ବର ୨ ତାରିଖ ଦିନ ଦ୍ୱିତୀୟ ନୋଟିସ ଜାରି କରିଛନ୍ତି । ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଏହାର ସବିଶେଷ ବିବରଣୀ ପ୍ରଦାନ ନ କଲେ ମାନବାଧିକାର ସୁରକ୍ଷା ଆଇନ ଧାରା -୧୩ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ତାଗିଦ କରିଛନ୍ତି ।

ସମ୍ବନ୍ଧିତ ଖବର