ବାରିପଦା: କାଠ ଚୋରି ଯାଞ୍ଚ ଆଳରେ ବନ ବିଭାଗ କର୍ମଚାରୀମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ତ ଅଧୀନ ବାରହା ପାନପୋଷି ଗ୍ରାମର ଜଣେ ଗର୍ଭବତୀ ମହିଳା ଶୁକମତୀ ଗୁରିଆଙ୍କୁ ନିର୍ମମ ଭାବେ ମାଡ଼ ମାରିବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ୍ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏହି ଘଟଣାରେ ଶୁକମତୀଙ୍କର ମାନବିକ ଅଧିକାର ହନନ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ବାବଦରେ କାହିଁକି ୨ ଲକ୍ଷ ଟଙ୍କା ଦିଆଯିବନାହିଁ, ତାହା ଆସନ୍ତା ୬ ସପ୍ତାହ ମଧ୍ୟରେ ଦର୍ଶାଇବାକୁ ମୁଖ୍ୟ ଶାସନସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ ମସିହା ଫେବ୍ରୁଆରି ୨୦ ତାରିଖରେ ବାରହା ପାନପୋଷି ଗ୍ରାମର ଶୁକମତୀ ଗୁରିଆଙ୍କୁ କାଠ ଚୋରି ଅଭିଯୋଗରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ମାଡ଼ ମାରିଥିଲେ। ଏଥିରେ ତାଙ୍କ ହାତ ଭାଙ୍ଗିଯିବା ସହ ଗର୍ଭରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଏହି ଘଟଣାକୁ ନେଇ ଭବାନୀପାଟଣାର ମାନବିକ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ପୀଡ଼ିତା ଶୁକମତୀ ଗୁରିଆଙ୍କୁ ନ୍ୟାୟ ସହ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଅନୁରୋଧ କରିଥିଲେ। କମିଶନ ଆବେଦନକୁ ବିଚାର ପାଇଁ ଗ୍ରହଣ କରି କେସ୍ ନମ୍ବର (୧୦୬୬/୧୮.୦୯.୨୦୨୦)ରେ ଜଙ୍ଗଲ ବିଭାଗ ମୁଖ୍ୟ ବନ ସଂରକ୍ଷକ ଓ ମୟୂରଭଞ୍ଜ ଏସ୍ପିଙ୍କୁ ରିପୋର୍ଟ ମାଗିଥିଲେ। ଅଭିଯୁକ୍ତ ବନ ବିଭାଗ କର୍ମଚାରୀ କବିତା ବେହେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା, ତାଙ୍କ ନାମରେ କରଞ୍ଜିଆ ଥାନା କେସ୍ ନଂ ୨୭/୨୦, ଆଇପିସି ୨୯୪, ୩୪୧, ୩୨୩,୩୨୫, ଧାରା ୩୪ ଅନୁଯାୟୀ ମାମଲା ରୁଜୁ ହୋଇ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିବା ନେଇ ମୟୂରଭଞ୍ଜ ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ସେହିପରି ଜଙ୍ଗଲ ବିଭାଗ ମୁଖ୍ୟ ବନ ସଂରକ୍ଷକ ଦାଖଲ କରିଥିବା ରିପୋର୍ଟରେ କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର କାରଣରୁ ଫରେଷ୍ଟ ଗାର୍ଡ଼ କବିତା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି। ଏହି ରିପୋର୍ଟକୁ କମିଶନ ତର୍ଜମା କରି ପୀଡ଼ିତା ଶୁକମତୀ ଗୁରିଆଙ୍କ କ୍ଷେତ୍ରରେ ମାନବ ଅଧିକାରର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ତାଙ୍କୁ କାହିଁକି କ୍ଷତିପୂରଣ ମିଳିବନି, ସେ ସଂକ୍ରାନ୍ତରେ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଗର୍ଭବତୀଙ୍କୁ ବନ କର୍ମଚାରୀଙ୍କ ମାଡ଼, ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କଲେ ଏନ୍ଏଚ୍ଆର୍ସି
/sambad/media/post_attachments/wp-content/uploads/2021/04/nhrc.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)