ଏସସିବି ଫାଣ୍ଡି ହାଜତରେ ତିନି ଦିନ ନାବାଳକ ଅଟକ ଘଟଣା: ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ: କଟକ ବଡ଼ ଡାକ୍ତରଖାନା ପରିସରରେ ଥିବା ଫାଣ୍ଡି ହାଜତରେ ପୁଲିସ ଜଣେ ନାବାଳକକୁ ତିନି ଦିନ ଅଟକ ରଖିବା ଘଟଣାରେ ଜାତୀୟ ମାନବାଧିକାର କମିସନ୍ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିସନ୍ କହିଛନ୍ତି। ଚାରି ସପ୍ତାହ ଭିତରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସଂପର୍କିତ ରିପୋର୍ଟ (ଆକ୍ସନ୍ ଟେକେନ୍ ରିପୋର୍ଟ) ଦାଖଲ କରିବାକୁ କମିସନ୍ ପୁଲିସ କମିସନରଙ୍କୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଅଖଣ୍ଡ ଦାୟର କରିଥିବା ଅଭିଯୋଗର ଶୁଣାଣି କରି କମିସନ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଅଭିଯୋଗର କପି ଅନ୍ ଲାଇନ ବ୍ୟବସ୍ଥାରେ ପୁଲିସ କମିସନରଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ କମିସନ୍ କହିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏସସିବି ଫାଣ୍ଡି ହାଜତରେ ଝାଡଖଣ୍ଡ ସାହେବ ସାହେବଗଞ୍ଜ ଥାନା ଅଞ୍ଚଳର ଜଣେ ୧୨ ବର୍ଷିୀୟ ନାବାଳକକୁ ତିନି ଦିନ ରଖାଯାଇଥିବା ଅଭିଯୋଗ ହୋଇଥିଲା। ଏହି ନାବାଳକ ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ନାବାଳକକୁ ବେଆଇନ ଭାବେ ତିନି ଦିନ ଫାଣ୍ଡିରେ ଅଟକ ରଖିବା ନେଇ ଚାଇଲ୍ଡ ଲାଇନ ଖବର ପାଇବା ପାଇବା ପରେ ଏପ୍ରିଲ ୧୦ରେ ହସ୍ତକ୍ଷେପ କରିଥିଲା। ନାବାଳକକୁ ଅଟକର ୨୪ ଘଣ୍ଟା ଭିତରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ନାବାଳକକୁ ବେଆଇନ ଭାବେ ତିନି ଦିନ ଫାଣ୍ଡିରେ ଅଟକ ରଖିଯିବା ସହିତ ନିର୍ଯାତନା ଦିଆଯାଇଥିଲା। ଏହା ନାବାଳକର ମାନବିକ ଅଧିକାର ଉଲ୍ଲଂଘନ। ଏହି ଘଟଣାରେ ନାବାଳକର ମାନବିକ ଅଧିକାର ସୁନିଶ୍ଚିତ ରଖାଯିବା ସହିତ ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦର୍ଶାଇ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର