ପ୍ରକୃତି କୋଳରେ ସମୟ କାଟିବାରେ ଅନନ୍ୟ ଅନୁଭୂତି : ପର୍ଯ୍ୟଟନସ୍ଥଳୀ ତେଲିଙ୍ଗିରି

ଜୟପୁର: ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରା କେରାପୁଟ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାକାର ଜଳବାୟୁ ଏବଂ ଶାନ୍ତ ପରିବେଶ ରାଜ୍ୟ ବାହାର ତଥା ବିଦେଶୀ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରେ। ବର୍ଷରେ ଅଧିକାଂଶ  ସମୟରେ ପର୍ୟ୍ୟଟକଙ୍କ ଭିଡ ଲାଗି ରହୁଥିବା ବେଳେ ଶୀତ ମାସରେ ଏହି ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଥାଏ। ଏପରିକି ଆଖପାଖ ଜିଲ୍ଲାରୁ ବି ବହୁ ସଂଖ୍ୟାରେ ପର୍ଯ୍ୟଟନ ପିକିନିକ୍ ଋତୁରେ ଏଠାକୁ ଛୁଟି ଆସନ୍ତି। ତେବେ ଗତ ମାର୍ଚ୍ଚ ମାସରୁ ଲାଗିଥିବା କୋଭିଡ୍ ସଂକ୍ରମଣ ଏବଂ କଟକଣା ଯୋଗୁଁ ପର୍ଯ୍ୟଟନମାନେ ଆସୁନଥିବାରୁ ଜିଲ୍ଲାର ସବୁ ପର୍ଯ୍ୟଟନସ୍ଥଳୀ ଫାଙ୍କା ପଡ଼ିଥିଲା। କୋଭିଡ୍ ସଂକ୍ରମଣ ସ୍ବାଭାବିକ ହେବା ପରେ ଗତ ମାସର ଶେଷ ସପ୍ତାହରୁ ଲଗାତାର ସବୁ ଦିନ ପିକ୍ ନିକ୍ ଓ ଭୋଜି ଭାତ ଆରମ୍ଭ ହୋଇଛି। ଜୟପୁର ଉପଖଣ୍ତ ସଦରମହକୁମାରୁ ୧୫କିଲୋମିଟର ଦୁରରେ ପ୍ରାକୃତିକ ଘ˚ଚ ବନାନୀ ମଧ୍ୟରେ ତେଲିଙ୍ଗିରି ନଦୀ ଓ ପାହାଡର ନାଳ ପାଣିକୁ ଅଟକାଇ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି।

Sambad

ଦୀର୍ଘ ୧୭ବର୍ଷ ପରେ ତଥା ଦେଢ଼ବର୍ଷ ତଳେ ଏହା ଲୋକାର୍ପିତ ହୋଇଛି। ଏହି ପ୍ରକଳ୍ପର ପାର୍ଶ୍ବ ଦେଇ ବୋରିଗୁମ୍ମା , ଜୟପୁର ବ୍ଲକର ବିଭିନ୍ନ ପଂଚାୟତର ଲୋକଙ୍କ ଠାରୁ ଆରମ୍ଭ କରି କୋରାପୁଟ ଯାଉଥିବା ବହୁ ଯାନବାହାନ ଆଦି ବି ଚଳାଚଳ କରୁଛି। ଜଳଭଣ୍ଡାର ପାର୍ଶ୍ବରେୁ ଥିବା ଅଙ୍କାବଙ୍କା ରାସ୍ତା ଏବଂ ଜଳଭଣ୍ଡାରର ସୁନ୍ଦରତା ସମସ୍ତଙ୍କୁ ମନମୋହୁଛି। ଲୋକେ ପୂର୍ବଭଳି ବେଶି ଦୂରକୁ ନ ଯାଇ ଜୟପୁର ସହରରୁ ଅଳ୍ପ ଦୂରରେ ଥିବା ମାଳିଗୁଡା ରେଳୱେ ଟନେଲ୍ ଓ ବ୍ରିଜ୍ ବୁଲି ଦେଖିବା ସହ ତେଲିଙ୍ଗିରୀ ପ୍ରକଳ୍ପକୁ ଆସି ବୁଲି ପ୍ରକୃତିର ମଜା ଉଠାଇ ଯାଉଛନ୍ତି। ସହରର ସିମେଣ୍ଟ ଘର, ଗହଳିଚହଳି, ଗାଡି ଘୋଡାର ଶବ୍ଦ ଠାରୁ ଦୁରରେ କିଛି ସମୟ ଶାନ୍ତିରେ ଏବଂ ପ୍ରାକୃତିକ ବିଭବ ମଧ୍ୟରେ ନିଜକୁ ହଜାଇ ଦେବା ପାଇଁ ତେଲିଙ୍ଗିରରେ ପର୍ଯ୍ୟଟନଙ୍କ ଭିଡ ଦେଖିବାକୁ ମିଳିଛି। ଖାସ୍ କରି ରବିବାର କିମ୍ବା ଛୁଟି ଦିନ ଗୁଡିକରେ ଅଧିକା ଭିଡ୍ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ଏହି ମାଟି ବନ୍ଧ ଉପରେ ବ୍ୟାପକ ଭାବେ ପିକନିକ୍ ‌ଏବଂ ଭୋଜିଭାତ କରି ‌ଲୋକେ ଖାଇ ଯାଉଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଣୀଗଡ ଓ ବୋରିପୁଟ ଗ୍ରାମବାସୀ।

ଗତ କିଛି ଦିନ ହେବ ଜାତୀୟ ରାଜପଥ ୨୬ର ବୋରିଗୁମ୍ମାରୁ ବାରିଣୀପୁଟ ପ୍ରଶସ୍ତିକରଣ କାମ ଚାଳିଥିବାରୁ ଏହି ରାସ୍ତାରେ ଅଧିକାଂଶ ଗାଡି ଯିବା ଆସିବା ବି କରୁଛି। ପ୍ରକଳ୍ପ ପାର୍ଶ୍ବ ଦେଇ ରାସ୍ତା ଥିବାରୁ ଲୋକେ ଘଡିଏ ସେଠାରେ ରହି ପ୍ରକଳ୍ପ ଏବଂ ପ୍ରକଳ୍ପ ପାର୍ଶ୍ବରେ ଥିବା ପ୍ରାକୃତିକ ବିଭବକୁ ଉପଭୋଗ କରି ଯାଉଛନ୍ତି। ଏହିସମୟରେ ଲୋକେ ଅନାୟସରେ ମାଟି ବନ୍ଧ ଉପରକୁ ଯିବା ଆସିବା କରୁଛନ୍ତି। ୨ଟି ମାଟି ବନ୍ଧ କରାଯାଇଥିବା ବେଳେ ଦ୍ବିତୀୟ ତଥା ମୁଖ୍ୟ ବନ୍ଧ ନିକଟରେ ଜଳସେଚନ ବିଭାଗ ପକ୍ଷରୁ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରିବା ପାଇଁ ୱାଚ୍ ଟାୱର ବି ନିର୍ମାଣ କରାଯାଇଛି। ୨ଟି ଯାକ ମାଟିବନ୍ଧ ପାର୍ଶ୍ବରେ ଥିବା ପାହାଡ ଏବଂ ଜଳଭଣ୍ଡାରର ସୁନ୍ଦର ପରିବେଶ ସାଧାରଣ ଲୋକଙ୍କୁ ବି କିଛି ସମୟ ବିଭୋର କରୁଛି। ପରିବେଶର ପ୍ରାକୃତିକ ସୌନ୍ଦର୍ୟ୍ୟଭରା ସ୍ଥାନ ଭାବେ ଏବେ ତେଲିଙ୍ଗିରୀ ପାଲଟିଛି। ଏଥିରେ ହଜିଯିବାକୁ ବି ବିଭିନ୍ନ ସହରରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର