ମାଲକାନଗିରି: ରାତିରେ ସହରରେ, ଦିନରେ ସୀମାରେ ପୁଲିସର ପଇଁତରା

ନାଇଟ କର୍ଫ୍ୟୁ ହଟାଇବା ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଆଇଆଇସି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ବଡଯାତ୍ରାର ମାହୋଲ। ଗତ ୨୨ ତାରିଖରୁ ପାଲେରୁରୁ ତିନି ଠାକୁର ଏବଂ ମା’ମୁତ୍ୟୁଲ୍ଲମାଙ୍କ ଯାତ୍ରା ଆରମ୍ଭ ହୋଇଛି। ଏଥିଯୋଗୁଁ ସାରା ଜିଲ୍ଲା ଏବେ ଉତ୍ସବ ମୁଖର। ବଡଯାତ୍ରାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ରାତିରେ କର୍ଫ୍ୟୁ ଜାରି କରିଛି। ଯାହାଫଳରେ ରାତି ୯ଟା ବାଜିଲେ ଲୋକେ ଆଉ ଘରୁ ପଦାକୁ ବାହାରି ପାରୁନାହାନ୍ତି। ରାତିରେ ପୁଲିସ ସହର ସାରା ପଇଁତରା ମାରୁଛି। ପୁଲିସ ଗାଡିରେ ସାଇଲନ ମାରି ଲୋକଙ୍କୁ ସଚେତନ କରାଉଛି।

ଗତକାଲି ରାତିରେ ୯ଟା ବାଜିବା ମାତ୍ରେ ସହର ଖାଁ ଖାଁ ପାଲଟିଯାଇଥିଲା। ଲୋକେ ଘରୁ ପଦାକୁ ବାହିରିନଥିଲେ। ଅତ୍ୟାବଶକୀୟ କାମ ନଥିଲେ ଘରୁ ପଦାକୁ ବାହାରିବା ପାଇଁ ସଂପୂର୍ଣ୍ଣ ମନା କରାଯାଇଛି। ସେହିଭଳି ଦିନରେ ସୀମାରେ ପୁଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ସୀମାରେ ପୁଲିସ ସୀମାକୁ ସିଲ କରିବା ସହ ସେଠାରେ ଗାଡିମଟରକୁ ଯାଞ୍ଚ କରୁଛି। ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସୀମାକୁ ସଂପୂର୍ଣ୍ଣ ସିଲ କରାଯାଇଛି।

ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ପୁଲିସ ରାତିରେ ଏବଂ ଦିନରେ ଜୋରଦାର ଯାଞ୍ଚ କରୁଛି। ଜିଲ୍ଲାରେ ଜଣେ ବି କରୋନା ରୋଗୀ ନଥିଲେ ମଧ୍ୟ ବଡଯାତ୍ରା ଥିବାରୁ ହଜାର ହଜାର ଭକ୍ତ ଏହି ତିନି ରାଜ୍ୟରୁ ମାଲାକନଗିରି ଜିଲ୍ଲା ଭିତରକୁ ପ୍ରବେଶ କରିବେ।ତେଣୁ ପୂର୍ବରୁ ହିଁ ଜିଲ୍ଲା ପ୍ରଶାସନ ସଜାଗ ହୋଇଯାଇଛି। ଗତକାଲି ମାନ୍ୟମକୋଣ୍ଡା ଠାରେ ଠାକୁର ପୂଜା ପାଇଥିବା ବେଳେ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ଯାହାକୁ ପୁଲିସ କାବୁ କରିବାରେ ବିଫଳ ହୋଇଥିଲା। ଏପରିକି ପୁଲିସ ହାଲକା ଲାଠି ମଧ୍ୟ ପ୍ରୟୋଗ କରିଥିବା ଜଣାପଡିଛି। କିନ୍ତୁ ଭକ୍ତଙ୍କ ଭିଡକୁ ଆୟତ୍ତ କରିବାରେ ପୁଲିସ ଏକ ପ୍ରକାର ବିଫଳ ହୋଇଥିଲା। ସେହି ଏକା ଦୃଶ୍ୟ ଠାକୁର ମାଲକାନଗିରି ପହଞ୍ଚିବା ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ଠାକୁର ଯେଉଁ ଯେଉଁ ସ୍ଥାନରେ ରହିବେ ସେଠାରେ ଭକ୍ତଙ୍କ ସମାଗମ ହେବ। ଏଥିସହ ବଳି ମଧ୍ୟ ପ୍ରଦାନ କରାଯିବ।ଯାହାକୁ ଜିଲ୍ଲା ପ୍ରଶାସନ ରୋକ ଲଗାଥିଲେ ମଧ୍ୟ ଭକ୍ତ ନିଜର ମାନସିକ ଅନୁଯାୟୀ ବଳି ଦେବେ।

ଅନ୍ୟଦିଗରେ ନାଇଟ କର୍ଫ୍ୟୁକୁ ହଟାଇବା ପାଇଁ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଜିଲ୍ଲାପାଳ ୱାଇ.ବିଜୟଙ୍କୁ ପତ୍ର ଲେଖିଛନ୍ତି। ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାକୁ ନାଇଟ କର୍ଫ୍ୟୁ ପାଇଁ ନିର୍ଦେଶ ଦେଇଛନ୍ତି। ଯାହାକି ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ଲୋକଙ୍କ ପାଇଁ ଏକ ପ୍ରକାର ହାନିକାରକ। ଏହି ଅଂଚଳର ଲୋକେ ବହୁ କଷ୍ଟରେ ଜୀବନଯାପନ କରିଥାନ୍ତି। ବଡଯାତ୍ରା ଯୋଗୁଁ ଜିଲ୍ଲାର କୌଣସି ଜାଗାରେ ରାତିରେ ନାଟ, ଗୀତ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। କେବଳ ମାଲକାନଗିରି ସହରର ହିଁ ନାଚଗୀତର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାସାରା ନାଇଟ କର୍ଫ୍ୟୁ ହେବା ଦ୍ବାରା ଲୋକେ ବହୁ ହଇରାଣ ହେଉଛନ୍ତି। ତେଣୁ ନାଇଟ କର୍ଫ୍ୟୁ କୋହଳ କରିବା ପାଇଁ ଶ୍ରୀ ଦୋରା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ବାହାର ରାଜ୍ୟରୁ ମାଲକାନଗିରି ଭିତରକୁ ପଶିଲେ ବାଧ୍ୟତାମୁଳକ ସଂଗରୋଧରେ ରହିବେ ବୋଲି ଜିଲ୍ଲା ପ୍ରଶାସନ ନିର୍ଦେଶନାମା ଜାରି କରିଛି।ଜିଲ୍ଲାସ୍ତରୀୟ ଅଧିକାରୀମାନେ ଛୁଟିରେ ଗଲେ ଗସ୍ତସୂଚୀ ଦେବେ। ମାଲକାନଗିରି, ମାଥିଲି, କାଲିମେଳା ଠାରେ ସ୍ବତନ୍ତ୍ର ଫିଭର କ୍ଲିନିକ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି। ବିବାହ, ବ୍ରତ, ଶ୍ରାଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କେବଳ ୨୦୦ ଲୋକଙ୍କ ହିଁ ଉପସ୍ଥିତ ରହିପାରିବେ।

ସମ୍ବନ୍ଧିତ ଖବର