କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ହେଲା ସଂକ୍ରମଣ: ନବରଙ୍ଗପୁର ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ସକାଳୁ ପ୍ରଶାସନ ପକ୍ଷରୁ ନବରଙ୍ଗପୁର ସହରର ବିଭିନ୍ନ ଗଳିକନ୍ଦିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଆଜି ରାତି ଠିକ୍ ୮ଟା ପୂର୍ବରୁ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସ୍ବତଃ ପ୍ରବୃତ ଭାବେ ଦୋକାନ ବଜାର ବନ୍ଦ କରିଦେଇଥିଲେ। ପୁଲିସ ଓ ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁକୁ ନେଇ ଯେଉଁ ଗାଇଡଲାଇନ ଜାରି ହୋଇଥିଲା ସେହି ନିୟମାବଳୀ ପାଳନ ହେଉଛି କି ନାହିଁ ସେ ନେଇ ସହରରେ ବୁଲି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ରାତି ୮ଟା ପରେ ସହର ଖାଁ ଖାଁ ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳ ଭାଷ୍କର ରଇତ, ତହସିଲଦାର ରବିନ୍ଦ୍ର ରାଉତ, ଥାନା ଅଧିକାରୀ ତାରିକ ଅହମ୍ମଦ ସହରରେ ବୁଲି ଯାଞ୍ଚ କରିଥିଲେ।

 

ପ୍ରକାଶ ଥାଉକି ଆଜି ସକାଳୁ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ନାଇଟ କର୍ଫ୍ୟୁ ଲାଗୁର କାରଣ ସଂକ୍ରାନ୍ତରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦର୍ଶାଇଥିଲେ। ଜିଲ୍ଲାପାଳ ଡଃ. ମିଶ୍ର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ନବରଙ୍ଗପୁର ସହରରେ ଏକ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ସେହି ଟୁର୍ଣ୍ଣାମେଣ୍ଟରେ ପ୍ରବଳ ଜନସମାବେଶ ହୋଇଥିଲା। ଗତକାଲି ଯେଉଁ ୧୧ଟି ନୂତନ ସଂକ୍ରମଣ ବାହାରିଛି । ତାହା ସେହି ଟୁର୍ଣ୍ଣାମେଣ୍ଟର କଣ୍ଟାକ୍ଟ ଟ୍ରେସିଂରୁ ବାହାରିଛି।

ଆଗକୁ ଦୋଳ ଯାତ୍ରା ଓ ହୋଲି ପାଇଁ ପ୍ରବଳ ଜନସମାବେଶ ହେବାର ସମ୍ଭାବନା ରହିଛି।  ଜିଲ୍ଲାରେ ଯେଉଁ ଚୈତ୍ର ଯାତ୍ରା ଅନୁଷ୍ଠିତ ହେଉଛି ରାତିରେ ପ୍ରବଳ ଜନସମାବେଶ ହେଉଛି। ସେହି ସମାବେଶକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁକୁ ବଳବତ୍ତର ରଖିବା ପାଇଁ ଆରକ୍ଷୀ ଅଧୀକ୍ଷକ ଓ ସିଡିଏମଓଙ୍କ ସହିତ ଆଲୋଚନା କରି ଏହି ନିଷ୍ପତି ନିଆଯାଇଛି ବୋଲି କହିବା ସହ କୋଭିଡ ଗାଇଡଲାଇନକୁ ମାନି ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର