ରାଉରକେଲା: ବୀରମିତ୍ରପୁର ବିଜେଡି ଟିକେଟ୍ ଦୌଡ଼ରେ ଥିବା ପୂର୍ବତନ ବିଧାୟକ ନିହାର ସୁରିନ୍ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍)ରେ ସାମିଲ ହୋଇଛନ୍ତି। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ରାଞ୍ଚିସ୍ଥ ଶିବୁ ସୋରେନଙ୍କ ବାସଭବନରେ ଯୋଗଦେଇଛନ୍ତି। ବୀରମିତ୍ରପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଗୁଲାମ୍ , ଅଜିତ ରାୟ ମଧ୍ୟ ଜେଏମ୍ଏମ୍ରେ ଯୋଗଦେଇଛନ୍ତି। ଶିବୁ ସୋରେନଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଜେଏମ୍ଏମ୍ର ଓଡ଼ିଶା ଅଧ୍ୟକ୍ଷ ଅଞ୍ଜନୀ ସୋରେନ୍, ବରିଷ୍ଠ ନେତା ଲେଥା ତିର୍କି, ଅମିତ ଶର୍ମା, ପାତ୍ରାସ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ନିହାର ସୁରିନ କହିଛନ୍ତି ନିର୍ବାଚନ ସମୟ ଆସିଲେ ବିଜେଡିର ବରିଷ୍ଠ ନେତାମାନେ ଟିକେଟ ବିକିବାରେ ବ୍ୟସ୍ତ ରହନ୍ତି। ପୁରୁଖା ନେତାଙ୍କୁ ଭୁଲି ଯାଆନ୍ତି। ଜଣେ ବରିଷ୍ଠ ନେତା ହିସାବରେ ତାଙ୍କୁ ଦଳରେ ଯେତିକି ଗୁରୁତ୍ବ ଦିଆଯିବା କଥା ଦିଆଗଲା ନାହିଁ। ବାଧ୍ୟ ହୋଇ ପୂର୍ବ ଦଳ (ଜେଏମ୍ଏମ୍)କୁ ଫେରିଲି। ଜେଏମ୍ଏମ୍ ଛାଡ଼ିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା।
ଆଗାମୀ ନିର୍ବାଚନରେ ଜେଏମ୍ଏମ୍ ବୀରମିତ୍ରପୁର ପୁଣି ଆସନ ଦଖଲ କରିବ ବୋଲି ସେ କହିଛନ୍ତି। ନିହାର ସୁରିନ୍ଙ୍କୁ ଜେଏମ୍ଏମ୍ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। ଟିକେଟ୍ ଦୌଡ଼ରେ ଅବସରପ୍ରାପ୍ତ ଶିକ୍ଷକ ରେମିସ୍ କେର୍କେଟା, କୁଆରମୁଣ୍ଡା (କ)ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତିପ୍ରକାଶ କୁଜୁର, ଲକ୍ଷ୍ମୀଧର ସାହା, ପଥଳଗଡ଼ିର ନେତା ପିଟର ଟପ୍ନୋ, ଜେଏମ୍ଏମ୍ ସୁନ୍ଦରଗଡ଼ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ଲୁସି ସୁରିନ୍ ଓ ଜର୍ଜ ତିର୍କିଙ୍କ ଘନିଷ୍ଠ ସହଯୋଗୀ ପଟେଲ ବାର୍ଲା ମଧ୍ୟ ରହିଛି। ଆସନ୍ତାକାଲି (ମଙ୍ଗଳବାର) ସଂଧ୍ୟା ସୁଦ୍ଧା ଜେଏମ୍ଏମ୍ ବୀରମିତ୍ରପୁର ପାଇଁ କାହାକୁ ପ୍ରାର୍ଥୀ କରୁଛି, ତା’ଉପରେ ନଜର ରହିଛି।। ଚଳିତ ନିର୍ବାଚନରେ ଜେଏମ୍ଏମ୍କୁ ଇଣ୍ଡିଆ ମେଣ୍ଟର ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି। ବୀରମିତ୍ରପୁର ଆସନରୁ ଜେଏମ୍ଏମ୍ ୫ ଥର ବିଜୟୀ ହୋଇଛି। ପୂର୍ବତନ ବିଧାୟକ ଜର୍ଜ ତିର୍କି ଜେଏମ୍ଏମ୍ରୁ ୪ ଥର ଓ ନିହାର ସୁରନି ଥରେ ନିର୍ବାଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/3a362a97-9671-44ad-bfad-918097777e68.jpeg)