ପୁଣି କାର୍ଯ୍ୟକ୍ଷମ ହେବ ବାଳକାଟି ନୀଳାଚଳ କୋଭିଡ ହସ୍ପିଟାଲ, ଭିଡ଼ିଓ କନଫରରେନସିଂ ମାଧ୍ୟମରେ ରୋଗୀଙ୍କ ଭଲମନ୍ଦ ବୁଝିପାରିବେ ସଂପର୍କୀୟ

ବାଲିଅନ୍ତା: କରୋନା ରୋଗୀଙ୍କ ଚିକିତ୍ସା ଲାଗି ରାଜ୍ୟରେ ବନ୍ଦ ପଡ଼ିଥିବା କୋଭିଡ଼ ହସ୍ପିଟାଲ ପୁଣି ଖୋଲାଯିବା ନେଇ ସ୍ଥିର ହୋଇଛି । ଉକ୍ତ ହସ୍ପିଟାଲରେ ସଂକ୍ରମିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ ରୋଡ଼ ଛକ ନିକଟରେ ପୂର୍ବରୁ ଚାଲିଥିବା କୋଭିଡ଼ ହସ୍ପିଟାଲକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ବିଧିବଦ୍ଧ ଭାବେ ସ୍ଥିର ହୋଇଛି । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦପ୍ତରରେ ଭୁବନେଶ୍ବର ନୀଳାଚଳ ହସ୍ପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ରାଉତ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ରାଜିନାମାପତ୍ର ସ୍ବାକ୍ଷରିତ ହୋଇଛି ।

ଆସନ୍ତା ୩ଦିନ ଭିତରେ ହସ୍ପିଟାଲ ଖୋଲାଯିବା ଲାଗି ସ୍ଥିର ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଏଡିଏମ ଅନୁଜ ଦାଶ ପଟ୍ଟନାୟକ, ଶ୍ରୀ ରାଉତ, ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ଉପରୋକ୍ତ ଅଧିକାରୀବୃନ୍ଦ ଏଠାକୁ ତଦନ୍ତରେ ଆସି ହସ୍ପିଟାଲ ବୁଲି ଦେଖିଥିଲେ । ଚିକିତ୍ସା ଲାଗି ଆବଶ୍ୟକ ଯନ୍ତ୍ରାଂଶ ତଥା ଅନ୍ୟାନ୍ୟ ଉପକରଣ ଠିକ ଅଛି କି ନାହିଁ ତାର ତଦାରଖ କରିଥିଲେ ।

ଅନ୍ୟପକ୍ଷରେ ଉକ୍ତ କୋଭିଡ଼ ହସ୍ପିଟାଲରେ ପ୍ରାଥମିକ ଭାବେ ୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୩୦ଟି ସାଧାରଣ ଶଯ୍ୟା ବାକି ଅତି ଗୁରୁତର ଅସୁସ୍ଥଙ୍କ ଲାଗି ୨୦ଟି ଆୟସିୟୁ ଶଯ୍ୟା ରହିବ ବୋଲି ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ପରବର୍ତ୍ତି ସମୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିହାରକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ବଢ଼ାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଶତାଧିକ ରୋଗୀ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସଂକ୍ରମଣ ଆଶଙ୍କାରେ ରୋଗୀଙ୍କ ସଂପର୍କୀୟମାନଙ୍କୁ ହସ୍ପିଟାଲ ଭିତରକୁ ଛଡ଼ାନଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ଏଥର ରୋଗୀଙ୍କ ଭଲମନ୍ଦ ଖବର ବୁଝିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ ଜଣାଇଛନ୍ତି । ଭିଡ଼ିଓ କନଫରେନସିଂ ମାଧ୍ୟମରେ ହସ୍ପିଟାଲ ବାହାରେ ସଂପର୍କୀୟମାନେ ରୋଗୀଙ୍କ ସହ କଥାବାର୍ତ୍ତା ହୋଇପାରିବେ ।

ସମ୍ବନ୍ଧିତ ଖବର