ଜୟପୁର: ବୋରିଗୁମ୍ମା-ରାଣୀଗଡ଼ ରାସ୍ତାରେ ଭୁବନେଶ୍ବରରୁ ଗାଡ଼ି ଭଡ଼ାରେ ଆଣି ଡ୍ରାଇଭର ହତ୍ୟା ମାମଲାର ପରଦା ସ୍ବଳ୍ପ ଦିନ ମଧ୍ୟରେ କୋରାପୁଟ ପୁଲିସ ଉଠାଇଛି। ଏହି ମାମଲାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ସେହି ରାସ୍ତାରେ ଗତ ୨୦୧୮ମସିହା ଜୁଲାଇ ୧୧ରେ ବୋରିଗୁମ୍ମା ଥାନା ଅର୍ନ୍ତଗତ କେବିଡ଼ି ନିକଟସ୍ଥ ଏକ ନୀଳଗିରି ବାଡରେ ଜଣେ ଅଜଣା ମହିଳାଙ୍କୁ ଥଣ୍ଟି ଚିପି ହତ୍ୟା କରିବା ମାମଲାର ସ୍ମୃତି ପୁଣି ଏବେ ଲୋକଙ୍କ ମଧ୍ୟରେ ତାଜା ହୋଇଛି।
ଅଜଣା ମହିଳା ଜଣକ ମରି ପଡିଥିବା ବେଳେ ଶିଶୁ କନ୍ୟା ଜଣକ ସେଠାରେ ବସି କାନ୍ଦୁ ଥିଲେ। କିଏ ଓ କାହିଁକି ସବୁଦିନ ପାଇଁ ମହିଳା ଜଣକ ରାସ୍ତାରୁ ହଟାଇବାକୁ ଏଭଳି ବୀଭତ୍ସ ଭାବେ କରିଥିଲା ହତ୍ୟାକାଣ୍ଡ। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଅଜଣା ମହିଳାଙ୍କୁ ସେହି ରାସ୍ତାକୁ ଆଣି ନିଳଗିରି ବାଡ଼ ମଧ୍ୟରେ ବେକ ଚିପି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଗତ ୩ବର୍ଷ ହେବ ଏହି ମାମଲା ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ଏହାର ପରଦା ଏବେ ପର୍ଯ୍ୟନ୍ତ ଉଠୁନି। ଆଜି ବି ଏହି ରାସ୍ତା ଦେଇ ଯାଆସ କରୁଥିବା ଲୋକେ ଏହି ଅଜଣା ମହିଳା ଜଣଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ତାହା ପ୍ରଶ୍ନବାଚୀ ହୋଇରହିଛି। ପୁଲିସ କିଭଳି ଅଭିଯୁକ୍ତଙ୍କୁ ଧରି ପାରିଲାନି , ପୁଲିସର ତଦନ୍ତ ସଠିକ ଦିଗରେ କରାଯାଇଥିଲା ନା ନାହିଁ , ଯେ କୌଣସି ଅପରାଧି ଅପରାଧ କରିବା ପରେ କିଛି ସୁରାକ୍ ଛାଡି ଯାଇ ଥାଏ , ଏହି ସ୍ଥିତିରେ କିଭଳି ଅଭିଯୁକ୍ତ ଧରାପଡିନି ବୋଲି ଚର୍ଚ୍ଚା କରୁଛନ୍ତି।
୨୦୧୮ରେ ବୋରିଗୁମ୍ମା ଥାନା ଅଧିନରେ ହୋଇଥିବା ମାମଲାର ତଦନ୍ତ ଏବେ ବି ଜାରୀ ରହିଛି ବୋଲି କହିଛନ୍ତି ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ। ପୁଲିସ ପକ୍ଷରୁ ମହିଳାଙ୍କ ଫଟୋଚିତ୍ରକୁ ନେଇ ପଡୋଶୀ ଛତିଶଗଡର ଜଗଦଲପୁର, ଆନ୍ଧ୍ରପ୍ରଦେଶ ସହ ଓଡିଶାର ବିଭିନ୍ନ ଥାନା ଅଞ୍ଚଳ ପଠାଯାଇ ବି ଯାଞ୍ଚ କରାଯାଉଛି। ତେବେ ପୁରୁଣା ମାମଲାରେ ଅଭିଯୁକ୍ତ ମଳିବା ଠିକେ କଷ୍ଟ ବୋଲି କହିଛନ୍ତି ଏସଡିପିଓ। ପୁଲିସ ୩ବର୍ଷ ପରେ ମହିଳାଙ୍କ ପରିଚୟ ଏବଂ ମାମଲାର କିଛି ସୁରାକ୍ ପାଇନଥିବା ବେଳେ ଏହାର ସମାଧାନ ହେବ ନା ପୁଲିସ ଏହି ହତ୍ୟା ମାମଲାର ଫାଇଲକୁ ସବୁଦିନ ପାଇଁ ବନ୍ଦ କରିଦେବ ତାହାକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।