ଜୟପୁର: ରାଜରାଜୁଡା ଅମଳର ଜଳାଶୟ ନୀଳକଣ୍ଠ ସାଗରର ପୁନଃରୁଦ୍ଧାର ପାଇଁ ରାଜ୍ୟ ଗୃହ ଉନ୍ନୟନ ଓ ସହରାଞ୍ଚଳ ବିଭାଗ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ୯କୋଟି ୯୭ ଲକ୍ଷ ୪୩ ହଜାର ଟଙ୍କାର ଅନୁଦାନ ଦିଆଯାଇଛି। ଆଜି ଜିଲ୍ଲାପାଳ ମହମ୍ମଦ ଆବଦାଲ ଆଖତର ଜୟପୁର ଗସ୍ତରେ ଆସିଥିବା ବେଳେ ନୀଳକଣ୍ଠ ସାଗରର ବର୍ତ୍ତମାନର ସ୍ଥିତି ତଦାରଖ କରିଥିଲେ। ଏହାର ପୂର୍ବ ଗୌରବକୁ ଫେରାଇ ଆଣିବା ଏବଂ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଆଲୋଚନା କରିଥିଲେ।
ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ପିଏଆଇଟିଡିଏ ଗୋପୀନାଥ ସାରକା, ଜୟପୁର ବିଡିଓ ସୂରଜ ପଟ୍ଟନାୟକ, ପୌରସହକାରୀ ଯନ୍ତ୍ରୀ ପ୍ରଭାକର ଦାସ, କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ, ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପୀତବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ରହ୍ମପୁରର ରାମଲିଙ୍ଗେଶ୍ବର ପୋଖରୀ ଭଳି ଏହାର ନିର୍ମାଣ ଶୈଳୀ ସ୍ବତନ୍ତ୍ର ଭାବେ ଯୋଜନା କରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପ୍ରମୁଖ ସ୍ବତନ୍ତ୍ର ସ୍ଥାନ ମଧ୍ୟରେ ଏହା ସ୍ଥାନ ପାଇବା ଆବଶ୍ୟକ ବୋଲି କହିଥିଲେ ଜିଲ୍ଲାପାଳ । ଆସିଥିବା ଅନୁଦାନର ସଠିକ ଭାବେ ବିନିଯୋଗ କରାଯାଇ ଏହାର ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ସବୁକୁ ସଜାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ପୂର୍ବ ଗର୍ବ ଓ ଗୌରବ ଯେଭଳି ଏହା ଫେରି ପାଇବ ସେ ଦିଗରେ ଧ୍ୟାନ ଦେବାକୁ କହିଥିଲେ। ତୁରନ୍ତ ଏହାର ଡିପିଆର ପ୍ରସ୍ତୁତ କରି ଟେଣ୍ଡର ଆହ୍ବାନ କରାଯିବ ବୋଲି ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରିଥିଲେ।
ଏହା ପୂର୍ବରୁ ଜିଲ୍ଲାପାଳ ଉମୁରୀ କନ୍ୟାଶ୍ରମ ମକାପୁଟ ଅଂଚଳରେ କରାଯାଇଥିବା ଏମଜିନରେଗାରେ ପୋଖରୀ, ଅରୋଗ୍ୟବନ, କେନ୍ଦ୍ରୀୟ ବିଦ୍ୟାଳୟ ହେବାକୁ ଥିବା ଅନ୍ବେଷା ଛାତ୍ରବାସ, ବାଲିଆ ପଂଚାୟତର କୁନ୍ତରଖାଲ ଗାଁର ବିଦ୍ୟାଳୟ, ଘାଟବାଗ୍ରା ନିକଟରେ ମୋ ବଗିଚା, ବାମୁଣୀପୁଟ ସେବାଶ୍ରମ ବିଦ୍ୟାଳୟ ଆଦି ବୁଲି ଦେଖିଥିଲେ। ଏହା ସହ ନିର୍ମାଣାଧୀନ ଥିବା ଏୟାରଷ୍ଟ୍ରିପକୁ ଯାଇ ସେଠାକାର କାର୍ଯ୍ୟର ତଦାରଖ କରିଥିଲେ।
ସୂଚନାଯୋଗ୍ୟ, ନୀଳକଣ୍ଠ ସାଗରର ରକ୍ଷଣାବେକ୍ଷଣ ଅଭାବ ଓ ସହରର ନାଳପାଣି ଏହାରି ମଧ୍ୟରେ ପଶିବା, ଦଳର ବୃଦ୍ଧି ଏବଂ ତା’ ସାଙ୍ଗକୁ ଜବରଦଖଲ ଫଳରେ ଏହା ସଂକୁଚିତ ହେଲାଣି। ଏହାର ପୁନଃରୁଦ୍ଧାର କରିବା ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ଗୃହ ଉନ୍ନୟନ ଓ ସହରାଂଚଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସଚିବ ଆଦିଙ୍କୁ ଭେଟି ଅନୁରୋଧ ପତ୍ର ଦେଇଥିଲେ। ଏହି କ୍ରମରେ ଏବେ ରାଜ୍ୟ ଗୃହ ଉନ୍ନୟନ ଓ ସହରାଂଚଳ ବିଭାଗ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ୯କୋଟି ୯୭ ଲକ୍ଷ ୪୩ ହଜାର ଟଙ୍କାର ଅନୁଦାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jpr-collector-in-nilokanth-sagar-1a.jpg)