ଶିଶୁଙ୍କ ପାଇଁ ନିମୋକୋକସ୍ କଂଜୁଗେଟ୍ ପ୍ରତିଷେଧକ ଟିକାର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ନିମୋକୋକସ୍ କଂଜୁଗେଟ୍ ସଂକ୍ରମଣ ପାଇଁ ପିସିଭି ପ୍ରତିଷେଧକ ଟିକାର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ଜିଲ୍ଳାର ୫ଟି କେନ୍ଦ୍ରରେ ୧୦୫ ଶିଶୁଙ୍କୁ ଟିକା ଦିଆଯାଇଛି ।

ଆଜି ପୂର୍ବାହ୍ଣ ୧୨ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସା ୱାର୍ଡରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦ୍ୱାରିକା ନାଥ ଶତପଥିଙ୍କ ଉପସ୍ଥିତିରେ ଏହି ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବରସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପତି କହିଛନ୍ତି ଯେ ଜିଲ୍ଲାରେ ଆଜି ଟାଙ୍ଗୀ, ଜଟଣୀ, ବାଙ୍କୋଇ, ମେଣ୍ଢାଶାଳର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଅନ୍ୟ ନିୟମିତ ଟିକା ପର୍ଯ୍ୟାୟରେ ଏହି ଟିକାକୁ ଆଜିଠାରୁ ସାମିଲ କରାଯାଇଛି । ଶିଶୁମାନଙ୍କୁ ଦେଢ଼ ମାସରେ ପ୍ରଥମ ପର୍ଯ୍ୟାୟ ଟିକା ଓ ସାଢ଼େ ୩ ମାସରେ ଦ୍ୱିତୀୟ ଟିକା ଏବଂ ୯ ମାସରେ ବୁଷ୍ଟର ଟିକା ପ୍ରଦାନ କରାଯିବ । ଆଗାମୀ ଦିନରେ ଜିଲ୍ଲାରେ ମୋଟ ୧୮,୧୧୩ ଜଣ ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ଶତପଥି କହିଛନ୍ତି ଯେ ଭାରତରେ ନିମୋନିଆରେ ମୃତ୍ୟୁ ଘଟୁଥିବା ଶିଶୁଙ୍କ ସଂଖ୍ୟା ସର୍ବାଧିକ । ଏହି ଟିକା ପିଲାମାନଙ୍କୁ ନିମୋକୋକସ୍ ଜୀବାଣୁ ଦ୍ୱାରା ସୃଷ୍ଟି ହେଉଥିବା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବ ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର, ସହଜାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ରଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର