ବୈପାରିଗୁଡା: ବିଷାକ୍ତ ଛତୁ ଖାଇ ୯ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ପେନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁର୍କିଗୁଡା ଗ୍ରାମର ଭଗବତୀ ପେନ୍ଦାପାଡିଆଙ୍କ ଘରେ ଏକ ସାମାଜିକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୋଜିର ଆୟୋଜନ ମଧ୍ୟ ହୋଇଥିଲା। ତେବେ ଆଜି ନିକଟ ସମ୍ପର୍କୀୟ ତଥା କୁଣିଆଙ୍କୁ ନେଇ ରୋଷେଇବାସର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କିଛି ପିଲା ଗାଆଁ ପାଖ ପୋଖରୀକୁ ଗାଧୋଇବା ପାଇ ଯାଇଥିଲେ। ଗାଧୋଇବା ପରେ ପୋଖରୀ କୂଳରେ ଫୁଟିଥିବା ଛତୁ ତୋଳି ଆଣିଥିଲେ। ରୋଷେଇ ପରେ ସେମାନେ ସଂଗ୍ରହ କରିଥିବା ଛତୁକୁ ପତ୍ର ପୋଡ଼ା କରିଥିଲେ। ଏହି ପତ୍ର ପୋଡ଼ା ଛତୁକୁ ପିଲାମାନେ ଖାଇଥିଲେ। ସେମାନଙ୍କ ସହ ଜଣେ ବୟସ୍କା ମହିଳା ଏବଂ ଯୁବକ ମଧ୍ୟ ଖାଇଥିଲେ।
ତେବେ ଖାଇବାର କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପ୍ରବଳ ବାନ୍ତି ହୋଇଥିବା ପ୍ରକାଶ। ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୯ ଜଣଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ୭ ଜଣ ପିଲାଙ୍କର ବୟସ ୬ ବର୍ଷରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି। ଏହାଛଡ଼ା ପରିବାରର ଜଣେ ମୁରବୀ ସ୍ଥାନୀୟ ୬୦ ବର୍ଷ ବୟସର ମହିଳା ଏବଂ ୪୦ ବର୍ଷ ବୟସର ପୁରୁଷ ମଧ୍ୟ ରହିଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ବିଷାକ୍ତ ଛତୁ ଖାଇବା ପରେ ବିଷକ୍ରିୟା ସୃଷ୍ଟି ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ସେମାନଙ୍କର ମଳ ପରୀକ୍ଷା କରାଯାଉଛି। ଏହାଛଡ଼ା ଏକ ଡାକ୍ତରୀ ଦଳକୁ ମୁର୍କିଗୁଡାକୁ ପଠାଯାଇଛି। ସେମାନେ ରନ୍ଧା ଯାଇଥିବା ଖାଦ୍ୟ ନମୁନା ସଂଗ୍ରହ କରିବେ ବୋଲି ଡଃ. ଅଧିରାଜ ସାହୁ ପ୍ରକାଶ କରିଛନ୍ତି।