ବାଲେଶ୍ୱର: ସହଦେବଖୁଣ୍ଟା ଥାନା ପୁଲିସ ମଙ୍ଗଳବାର ମୋବାଇଲ ଲୁଟ ଓ ବିକ୍ରି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏକ ଚୋରୀ ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବାଲେଶ୍ୱର ଡିଏସ୍ପି (କ୍ରାଇମ୍) ଉମେଶ ପଣ୍ଡା ଓ ସହଦେବଖୁଣ୍ଟା ଥାନାର ଆଇଆଇସି ଶୁଭ୍ରାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସ୍ଥାନୀୟ ଅଂଚଳର ସାଗର ଅଗ୍ରଓ୍ଵାଲ ନିଜର ମୋବାଇଲ ଚୋରୀ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ କରୁଥିଲା।
ପୁଲିସ ବାଲେଶ୍ୱର ଜିଲ୍ଲାର ଟାଉନ୍ ଥାନା ଅଂଚଳରେ ଚୁନାବତୀ ଗୋପାଳଗାଁର ଅଶୋକ କମିଳା ଓରଫ ମୁନା (୧୯), କେଶବ କମିଳା ଓରଫ କୁନା (୨୪), ସୁନ୍ଦରୀ ଗ୍ରାମର ଶିବଜୀ ଚୌଧୁରୀ (୩୨), ସୁନାହାଟର ଏସ୍କେ ଇରସଦ୍ (୨୮), ଅନ୍ନପୁନ୍ନା ଗଳିର ଏସ୍କେ ରମଜାନ୍ (୨୮) ଓ ସହଦେବଖୁଣ୍ଟା ଥାନାର ଗୋଲପଡ଼ା ଗାଁର ମାବୁଦ ମଲ୍ଲିକ (୩୫)ଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ମୋବାଇଲ ଲୁଟ ଓ ଚୋରୀ କରି ୩ଟି ଦୋକାନକୁ ଦେଉଥିଲେ। ସଂପୃକ୍ତ ଦୋକାନଗୁଡ଼ିକରେ ମୋବାଇଲର ଆଇଏମ୍ଇଆଇ ପରିବର୍ତ୍ତନ କରି ବିକ୍ରି କରୁଥିଲେ।
ଘଟଣା ସହିତ ସଂପୃକ୍ତ ୩ ଜଣ ଦୋକାନୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନେ ହେଲେ ଟାଉନ୍ ଥାନା ଅନ୍ତର୍ଗତ ଗୋପାଳଗାଓର ଶରତ ମାଝି (୨୦), ଗଜେନ୍ଦ୍ର ଦାସ ଓ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗୁଡ଼ିପଡ଼ାର ଅଜିତ୍ ସିଂହ।